Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
ହାଇଦ୍ରାବାଦ: ଆଇପିଏଲ୍ର ଲୋକପ୍ରିୟ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନ୍ଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦୀର୍ଘଦିନ ଧରି ତାଙ୍କ ବିବାହକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ତେବେ କାବ୍ୟା କାହାକୁ ବିବାହ କରିବେ ଏବଂ କେଉଁଠି ହେବ ଏହି ହାଇପ୍ରୋଫାଇଲ୍ ବିବାହ?
ରିପୋର୍ଟ ଅନୁସାରେ, ଦକ୍ଷିଣ ଭାରତୀୟ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କ ସହ କାବ୍ୟା ମାରନ୍ଙ୍କ ବିବାହ ହେବାକୁ ଯାଉଛି। ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ ଉଭୟଙ୍କ ବିବାହ ହେବା ନେଇ ଖବର ପ୍ରକାଶ ପାଇଛି। ଏହି ବିବାହରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ଯୋଗ ଦେବେ ବୋଲି କୁହାଯାଉଛି। ଏହା ପରେ ନଭେମ୍ବର ୨୧ ତାରିଖରେ ଚେନ୍ନାଇର ଏକ ପଞ୍ଚତାରକା ହୋଟେଲ୍ରେ ଭବ୍ୟ ରିସେପ୍ସନ୍ ଆୟୋଜନ ହୋଇପାରେ। ଏଥିରେ ସିନେମା, କ୍ରିକେଟ୍ ଓ ରାଜନୀତି ଜଗତର ବହୁ ବଡ଼ ବଡ଼ ବ୍ୟକ୍ତି ଯୋଗ ଦେବାର ସମ୍ଭାବନା ରହିଛି।
ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ପୋଷ୍ଟ। କାବ୍ୟାଙ୍କ ବାପା ତଥା ସନ୍ ଗ୍ରୁପ୍ର ଅଧ୍ୟକ୍ଷ କଲାନିଧି ମାରନ୍ ଏବଂ ତାଙ୍କ ପତ୍ନୀ କାବେରୀ ମାରନ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଫଟୋ ଓ ଭିଡିଓ ସେୟାର ହୋଇଛି। କାବ୍ୟାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ଏଥିରେ ନଭେମ୍ବର ୨୧ରେ ଚେନ୍ନାଇରେ ବିବାହ ଉତ୍ସବ ଆୟୋଜନ ହେବା କଥା କୁହାଯାଇଛି।
କିଏ ଏହି ଅନିରୁଦ୍ଧ ରବିଚନ୍ଦର?
ଅନିରୁଦ୍ଧ ଦକ୍ଷିଣ ଭାରତୀୟ ସିନେମାର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ, ପ୍ଲେବ୍ୟାକ୍ ସିଙ୍ଗର୍ ଓ ମ୍ୟୁଜିକ୍ ପ୍ରଡ୍ୟୁସର୍। ‘ହ୍ବାଏ ଦିସ୍ କୋଲାଭରି ଡି’ ଗୀତ ତାଙ୍କୁ ଦେଶ ବିଦେଶରେ ବ୍ୟାପକ ପରିଚୟ ଦେଇଥିଲା। ‘ଜେଲର୍’, ‘ଜେଲର୍ ୨’, ‘ମାଷ୍ଟର୍’, ‘ବିକ୍ରମ୍’, ‘ଜୱାନ୍’, ‘ଲିଓ’ ଓ ‘କଥ୍ଥି’ ଭଳି ଚଳଚ୍ଚିତ୍ରରେ ସେ ସଙ୍ଗୀତ ଦେଇଛନ୍ତି। ଅନିରୁଦ୍ଧଙ୍କ ବାପା ରାଘବେନ୍ଦ୍ର ଜଣେ ଅଭିନେତା। ସୁପରଷ୍ଟାର୍ ରଜନୀକାନ୍ତଙ୍କ ପରିବାର ସହ ମଧ୍ୟ ତାଙ୍କର ସମ୍ପର୍କ ରହିଛି। ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତ ହେଉଛନ୍ତି ଅନିରୁଦ୍ଧଙ୍କ ବାପା ରାଘବେନ୍ଦ୍ରଙ୍କ ଭଉଣୀ। ଏବେ ସମସ୍ତଙ୍କ ନଜର କାବ୍ୟା ଓ ଅନିରୁଦ୍ଧଙ୍କ ବିବାହକୁ ନେଇ ଆସିବାକୁ ଥିବା ଆନୁଷ୍ଠାନିକ ସ୍ପଷ୍ଟୀକରଣ ଉପରେ।

