Latest Odisha News

BREAKING NEWS

ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍‌ଆଉଟ୍‌

କଲୋମ୍ବୋ: ଶ୍ରୀଲଙ୍କାରେ ଏକ ବଡ଼ଧରଣର ଗ୍ରିଡ୍‌ ବିଫଳତା କାରଣରୁ ସାରା ଦେଶରେ ବିଦ୍ୟୁତ୍ ସେବା ଠପ୍‌ ହୋଇଯାଇଛି। ଶନିବାର ଦିନ ମଧ୍ୟାହ୍ନରେ ଏହି ବଡ଼ଧରଣର ବିଦ୍ୟୁତ୍ ସଙ୍କଟ ଦେଖାଦେଇଥିଲା, ଯାହାଫଳରେ ସମଗ୍ର ଦେଶ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଥିଲା।

ଏହି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସାଧାରଣ ଜନଜୀବନ ଗରୁତର ଭାବେ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଇଣ୍ଟରନେଟ୍ ସେବା ଏବଂ ମୋବାଇଲ୍ ସଂଯୋଗ ବାଧାପ୍ରାପ୍ତ ହୋଇଥିଲା। ଜଳ ଯୋଗାଣ କର୍ତ୍ତୃପକ୍ଷ ଜଳ ସଂରକ୍ଷଣ କରିବାକୁ ଏବଂ ଅପଚୟ ନ କରିବାକୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର କେନ୍ଦ୍ରୀୟ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ଜଳବିଦ୍ୟୁତ୍ କେନ୍ଦ୍ର (ହାଇଡ୍ରୋପାୱାର ଷ୍ଟେସନ୍ – ଅପର କୋଟମାଲେ ପାୱାର ଷ୍ଟେସନ୍)ରେ ଗତକାଲି ଘଟିଥିବା ଏକ ଯାନ୍ତ୍ରିକ ତ୍ରୁଟି ଏହି ବ୍ଲାକ୍‌ଆଉଟ୍‌ର ମୂଳ କାରଣ ବୋଲି ଆଶଙ୍କା କରାଯାଉଛି। ଏହାଛଡ଼ା, ସୌରଶକ୍ତି ଉତ୍ପାଦନ ଚାହିଦାଠାରୁ ଅଧିକ ହୋଇଯିବା ମଧ୍ୟ ଗ୍ରିଡ୍‌ ଅସ୍ଥିରତାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ଶକ୍ତି ମନ୍ତ୍ରୀ ଅନୁରା କରୁଣାତିଲକେ ସ୍ପଷ୍ଟ କରିଛନ୍ତି ଯେ କର୍ତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍ ସେବା ପୁନଃସ୍ଥାପନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି। ଗ୍ରିଡ୍‌ ସ୍ଥିର ନ ହେବା ପର୍ଯ୍ୟନ୍ତ ରୁଫ୍‌ଟପ୍‌ ସୋଲାର୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ସିଷ୍ଟମକୁ ଗ୍ରିଡ୍‌ରୁ ଅଫ୍‌ କିମ୍ବା ବିଚ୍ଛିନ୍ନ କରି ରଖିବାକୁ ଅନୁରୋଧ କରାଯାଇଛି।ଏହି ଅପ୍ରତ୍ୟାଶିତ ବିଦ୍ୟୁତ୍ କାଟ୍‌ କାରଣରୁ ରାଜଧାନୀ କଲମ୍ବୋ ସମେତ ସମଗ୍ର ଦେଶରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ହସ୍ପିଟାଲ୍‌ଗୁଡ଼ିକରେ ଜରୁରୀକାଳୀନ ସେବା ଜାରି ରଖିବାକୁ ଜେନେରେଟର୍ ବ୍ୟବହାର କରାଯାଇଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗ୍ରିଡ୍‌କୁ ସମ୍ପୂର୍ଣ୍ଣ ସ୍ୱାଭାବିକ ଅବସ୍ଥାକୁ ଫେରାଇଆଣିବା ପାଇଁ ବୈଷୟିକ ଦଳଗୁଡ଼ିକ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି।

Leave A Reply

Your email address will not be published.