Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
ନୂଆଦିଲ୍ଲୀ: ପିଲାମାନେ ଇଣ୍ଟରନେଟ୍ ଚଳାଇବେ ନା ନାହିଁ? କେଉଁ ବୟସରୁ ସେମାନଙ୍କୁ ମୋବାଇଲ୍ ଓ ସୋସିଆଲ୍ ମିଡିଆ ବ୍ୟବହାର କରିବାକୁ ଦିଆଯିବ? ଏଥିସହିତ ସେମାନଙ୍କ ପାଇଁ ସୋସିଆଲ ମିଡିଆ କେତେ ସୁରକ୍ଷିତ? ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ କେବଳ ବୟସ ଆଧାରରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ, ସେମାନଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅର୍ଥାତ୍ ପିଲାଙ୍କୁ ଇଣ୍ଟରନେଟ୍ରୁ ଦୂରେଇ ରଖିବା ନୁହେଁ, ବରଂ ଅନଲାଇନ୍ରେ ସୁରକ୍ଷିତ ରଖିବା ଜରୁରୀ।
ଅକ୍ଟୋବର ୧୭ ତାରିଖ ଶନିବାର ଦିନ ବିଚାରପତି ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମତ ରଖିଥିବା ରିପୋର୍ଟରେ କୁହାଯାଇଛି। ଭାରତୀୟ ସମ୍ବିଧାନର ଧାରା ୨୧ ଓ ଧାରା ୧୯(୧)(କ) ଅନୁଯାୟୀ ଇଣ୍ଟରନେଟ୍ରେ ପ୍ରବେଶ ଓ ଏହାର ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ବୋଲି କୋର୍ଟ କହିଛନ୍ତି। ଏହି ଅଧିକାର ପିଲାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।
କୋର୍ଟଙ୍କ ମତରେ, ପିଲାଙ୍କ ସୁରକ୍ଷା ଓ ସେମାନଙ୍କ ସ୍ୱାଧୀନତା ପରସ୍ପରର ବିରୋଧୀ ନୁହେଁ। ପିଲାମାନଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କୁ ନିଜ ମତ ପ୍ରକାଶ କରିବା, ସୂଚନା ପାଇବା ଓ ଜ୍ଞାନ ଆହରଣ କରିବାର ସୁଯୋଗ ମଧ୍ୟ ଦେବା ଆବଶ୍ୟକ। ଇଣ୍ଟରନେଟ୍ରେ ପିଲାଙ୍କ ସୁରକ୍ଷା ବଢ଼ାଇବା ପାଇଁ ସୋସିଆଲ୍ ମିଡିଆ ଆକାଉଣ୍ଟରେ ‘ଚାଇଲ୍ଡ ମୋଡ୍’ ଭଳି ବ୍ୟବସ୍ଥା କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପିଲାମାନେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ, କିନ୍ତୁ ସେମାନଙ୍କ ପାଇଁ ବିପଜ୍ଜନକ କିମ୍ବା ଅନୁପଯୁକ୍ତ ବିଷୟବସ୍ତୁରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇପାରିବ। ସୋସିଆଲ୍ ମିଡିଆ ଓ ଅନ୍ୟ ଅନଲାଇନ୍ ସେବାରେ ଶିଶୁଙ୍କ ଯୌନ ଶୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ (CSEAM) ଚିହ୍ନଟ କରିବା ଓ ତୁରନ୍ତ ହଟାଇବା ପାଇଁ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ନେଇ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ବିଷୟବସ୍ତୁ ଚିହ୍ନଟ ଓ ହଟାଇବାରେ ବିଳମ୍ବ ନହେବା ଉପରେ ଗୁରୁତ୍ୱ ରହିଛି।
ଇଣ୍ଟରନେଟ୍ରେ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା କଥାକୁ ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି। କିନ୍ତୁ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଯଦି କ୍ଷତିକାରକ ବିଷୟବସ୍ତୁକୁ ଚିହ୍ନଟ କରି ହଟାଇବାରେ ବିଫଳ ହୁଅନ୍ତି, ତେବେ ଏହାର ସମାଧାନ ଭାବେ ପିଲାଙ୍କ ଇଣ୍ଟରନେଟ୍ ବ୍ୟବହାରକୁ ବନ୍ଦ କରିଦେବା ଠିକ୍ ନୁହେଁ। ଏଭଳି କରିବା ଦ୍ୱାରା ସମସ୍ୟା ସୃଷ୍ଟି କରୁଥିବା ବ୍ୟବସ୍ଥା ପରିବର୍ତ୍ତେ ପ୍ରଭାବିତ ପିଲାମାନଙ୍କୁ ହିଁ ଦାୟୀ କରାଯିବା ଭଳି ସ୍ଥିତି ସୃଷ୍ଟି ହେବ ବୋଲି କୋର୍ଟ ମତ ଦେଇଛନ୍ତି।
ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ମତ ପ୍ରକାଶ କରିବାର ସ୍ୱାଧୀନତା ମଧ୍ୟରେ ସୂଚନା ଓ ଭାବନାକୁ ଖୋଜିବା, ଗ୍ରହଣ କରିବା ଏବଂ ଅନ୍ୟମାନଙ୍କୁ ଜଣାଇବାର ଅଧିକାର ରହିଛି। ଇଣ୍ଟରନେଟ୍କୁ ଜ୍ଞାନ, ସୃଜନଶୀଳତା, ମତ ବିନିମୟ ଓ ସୂଚନାର ଏକ ବଡ଼ ମାଧ୍ୟମ ଭାବେ ଦେଖିଛନ୍ତି କୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ବିଶେଷକରି ଦୁର୍ଗମ ଅଞ୍ଚଳରେ ରହୁଥିବା ଅନେକ ପିଲାଙ୍କ ପାଇଁ ଇଣ୍ଟରନେଟ୍ ହେଉଛି ଶିକ୍ଷା ଓ ସୂଚନା ପାଇବାର ଏକମାତ୍ର ମାଧ୍ୟମ। ଏହା ବ୍ୟତୀତ, ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ମଧ୍ୟ ଅନଲାଇନ୍ ପ୍ଲାଟଫର୍ମ ବେଶ୍ ଉପଯୋଗୀ ହୋଇପାରେ। ସେମାନେ ନିଜ ପରି ପରିସ୍ଥିତିରେ ଥିବା ଅନ୍ୟ ପିଲାଙ୍କ ସହ ଯୋଡ଼ି ହେବା ଓ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପାଇପାରନ୍ତି।
ତେଣୁ ପିଲାଙ୍କୁ ସମ୍ପୂର୍ଣ୍ଣ ଭାବେ ଇଣ୍ଟରନେଟ୍ରୁ ଦୂରେଇ ରଖିବା ପରିବର୍ତ୍ତେ, କ୍ଷତିକାରକ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ, ଶିଶୁ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀକୁ ତୁରନ୍ତ ହଟାଇବା ଏବଂ ଚାଇଲ୍ଡ ମୋଡ୍ ଭଳି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି।

