Latest Odisha News

BREAKING NEWS

ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?

କାହିରୋ:ପ୍ରାଚୀନ ମିଶର ଇତିହାସରେ ବିରାଡ଼ିମାନଙ୍କୁ ନେଇ ଏପରି ଏକ କଡ଼ା ନିୟମ ଥିଲା, ଯାହା ବିଷୟରେ ଜାଣିଲେ ଆପଣ ବିସ୍ମିତ ହୋଇଯିବେ । ସେହି ସମୟରେ ଯଦି କେହି ଭୁଲ୍‌ବଶତଃ କିମ୍ବା ଜାଣିଶୁଣି କୌଣସି ବିରାଡ଼ିକୁ ମାରିଦେଉଥିଲା, ତେବେ ତାକୁ ସିଧାସଳଖ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ଏହି କଠୋର ଦଣ୍ଡ ହିଁ ପ୍ରମାଣ କରେ ଯେ ମିଶର ସମାଜରେ ବିରାଡ଼ିଙ୍କ ସ୍ଥାନ କେତେ ସ୍ୱତନ୍ତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ଥିଲା । ପ୍ରାଚୀନ ମିଶରର ପୌରାଣିକ କଥା ଅନୁଯାୟୀ, ବିରାଡ଼ି ମୁହଁ ଥିବା ଦେବୀ ବାଷ୍ଟେଟ୍‌ଙ୍କୁ ପ୍ରେମ, ସଙ୍ଗୀତ, ଘରର ସୁରକ୍ଷା ଏବଂ ସନ୍ତାନ ଉତ୍ପତ୍ତିର ଦେବୀ ଭାବେ ପୂଜା କରାଯାଉଥିଲା ।

ମିଶରବାସୀ ବିରାଡ଼ିଙ୍କୁ ସାଧାରଣ ପ୍ରାଣୀ ନଭାବି ଦେବୀଙ୍କ ପ୍ରତୀକ କିମ୍ବା ଆଶୀର୍ବାଦ ଭାବେ ମାନୁଥିଲେ । ତେଣୁ ବିରାଡ଼ିଙ୍କୁ କ୍ଷତି ପହଞ୍ଚାଇବା ମାନେ ସିଧାସଳଖ ଦେବୀଙ୍କୁ ଅପମାନିତ କରିବା ବୋଲି ବିବରଣ କରାଯାଉଥିଲା । କେବଳ ଧାର୍ମିକ ଆସ୍ଥା ନୁହେଁ, ବରଂ ଦୈନନ୍ଦିନ ଜୀବନରେ ବିରାଡ଼ିମାନଙ୍କର ବଡ଼ ଅବଦାନ ଥିଲା । ସେତେବେଳେ ମିଶରର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିଲା ।

ମୂଷା ଏବଂ ବିଷାକ୍ତ ସାପଙ୍କ କବଳରୁ ଧାନକୁ ରକ୍ଷା କରିବାରେ ବିରାଡ଼ିମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଏହି କ୍ଷତିକାରକ ପ୍ରାଣୀମାନଙ୍କୁ ଶିକାର କରି ସମାଜକୁ ଦୁର୍ଭିକ୍ଷ ଏବଂ ଅନାଜ ନଷ୍ଟ ହେବାରୁ ବଞ୍ଚାଉଥିଲେ । ବିରାଡ଼ିମାନଙ୍କ ପ୍ରତି ସମ୍ମାନ ଏତେ ଗଭୀର ଥିଲା ଯେ, ଘରର ପାଳିତ ବିରାଡ଼ିଟିଏ ମରିଗଲେ ପରିବାର ଲୋକେ ଗଭୀର ଶୋକ ପ୍ରକାଶ କରୁଥିଲେ ଏବଂ ନିଜର ଭ୍ରୂଲତା କାଟି ଦେଉଥିଲେ । ଏହାଛଡ଼ା, ମୃତ୍ୟୁ ପରେ ବିରାଡ଼ିଙ୍କ ଶରୀରକୁ ମଧ୍ୟ ମନୁଷ୍ୟଙ୍କ ଭଳି ସାବଧାନତାର ସହ ମମି ପ୍ରସ୍ତୁତ କରାଯାଇ ସମ୍ମାନର ସହ ପୋତା ଯାଉଥିଲା ।

Leave A Reply

Your email address will not be published.