ମୁମ୍ବାଇ: ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଭାରତର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝାଙ୍କୁ ସୋମବାର ଦିନ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହ ସେ ଓଡ଼ିଶାର ପ୍ରଥମ କ୍ରିକେଟର ଭାବେ ଏହି ପଦବୀ ଅଳଙ୍କୃତ କରିବାର ଗୌରବ ଅର୍ଜନ କରିଛନ୍ତି।
ଭୁବନେଶ୍ୱରରେ ଜନ୍ମିତ ପ୍ରଜ୍ଞାନ ଓଝା, ଯିଏ ଘରୋଇ କ୍ରିକେଟରେ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ସେ ଏବେ ଅଜିତ ଅଗରକରଙ୍କ ସ୍ଥାନ ନେଇଛନ୍ତି। ଅଗରକରଙ୍କ କାର୍ଯ୍ୟକାଳ ଚଳିତ ମାସ ଆରମ୍ଭରେ ଶେଷ ହୋଇଥିଲା।
ଏହା ସହିତ ଓ୍ଵେଷ୍ଟ ଜୋନରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ଟିମରେ ରମେଶ ପାଓ୍ଵାରଙ୍କୁ ସାମିଲ୍ କରାଯାଇଛି। ସବୁଠୁ ବଡ଼ କଥା ପ୍ରଥମ ଓଡ଼ିଆ ପୁଅ ଭାବେ ଓଝା ଭାରତୀୟ କ୍ରିକେଟ୍ ଦଳରେ ଏହି ବଡ଼ ଦାୟିତ୍ଵ ସମ୍ଭାଳିବେ। ଓଝା ମୁଖ୍ୟ ଚୟନକର୍ତ୍ତା ହୋଇଥିବା ବେଳେ ସଦସ୍ୟ ଭାବେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ, ଆରପି ସିଂ, ଅଜୟ ରାତ୍ରା ଓ ରମେଶ ପାଓ୍ଵାର ରହିଛନ୍ତି।
ଟେଷ୍ଟ ମ୍ୟାଚ୍ ଖେଳିବା ଅନୁଭୂତି (ସିନିୟରିଟି) ଆଧାରରେ ୪୦ ବର୍ଷୀୟ ପ୍ରଜ୍ଞାନ ଓଝା ଏହି ପଦବୀ ପାଇଁ ଅନ୍ୟତମ ପ୍ରମୁଖ ଦାବିଦାର ଥିଲେ। ଚର୍ଚ୍ଚା ହେଉଥିଲା ଯେ ପାର୍ଥିବ ପଟେଲଙ୍କୁ ଚୟନ କମିଟିର ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦିଆଯାଇପାରେ, କିନ୍ତୁ ଭାରତର ଏହି ପୂର୍ବତନ ୱିକେଟକିପର-ବ୍ୟାଟର ଏହି ପଦ ପାଇଁ ଆବେଦନ କରିନଥିଲେ। ଖବର ଅନୁଯାୟୀ, ଗୁଜୁରାଟ ଟାଇଟନ୍ସ ସହ ଆଇପିଏଲ୍ରେ କୋଚିଂ ଭୂମିକା ଏବଂ ଟିଭି କମେଣ୍ଟ୍ରି କାର୍ଯ୍ୟରୁ ସେ ଯେତିକି ରୋଜଗାର କରୁଛନ୍ତି, ଚୟନ କମିଟି ଅଧ୍ୟକ୍ଷ ପଦରେ ତା’ଠାରୁ କମ୍ ପାରିଶ୍ରମିକ ମିଳୁଥିବାରୁ ସେ ଏଥିପାଇଁ ଆଗ୍ରହ ଦେଖାଇନଥିଲେ।

