Latest Odisha News

BREAKING NEWS

Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!

ଭୁବନେଶ୍ବର: ଓଡ଼ିଶାରେ ଯଦି ଏବେ ବିଧାନସଭା ନିର୍ବାଚନ ହୁଏ, ତେବେ କାହାକୁ ବାଛିବେ ଓଡିଶାର ଜନତା? କିଏ ଏବେ ପ୍ରଥମ ପସନ୍ଦ? ନବୀନ ପଟ୍ଟନାୟକ ନା ମୋହନ ଚରଣ ମାଝୀ? ୨୪ ବର୍ଷର ବିଜେଡି ଶାସନକୁ ହଟାଇ ୨୦୨୪ରେ କ୍ଷମତାକୁ ଆସିଥିଲା ବିଜେପି। କିନ୍ତୁ ଏବେ ରାଜ୍ୟରେ ଛାତ୍ର ରାଜନୀତି ପୁଣି ସକ୍ରିୟ ହେବା ସହ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଆଠ ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ, ଉଭୟ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା କ’ଣ ଆଗାମୀ ନିର୍ବାଚନର ସଙ୍କେତ, ନା କ୍ୟାମ୍ପସ୍‌ ରାଜନୀତିରେ ସୀମିତ ଏକ ଲଢ଼େଇ?

ଛାତ୍ର ନିର୍ବାଚନରେ କିଏ ଆଗରେ?

୨୦୨୬ ଅକ୍ଟୋବର ୧୫ରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପକ୍ଷରୁ କୁହାଯାଇଛି ଯେ, ଏହାର ପ୍ରାର୍ଥୀମାନେ ୧୭୦ଟି କଲେଜ ଓ ୫ଟି ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଛନ୍ତି। ଏହା ମୋଟ କ୍ୟାମ୍ପସ୍‌ର ପ୍ରାୟ ୬୦ ପ୍ରତିଶତ ବୋଲି ସଂଗଠନ ଦାବି କରିଛି। ଏହି ଫଳାଫଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବରୁ ଚାଲିଥିବା ଶାସନ ମଡେଲ୍ ପ୍ରତି ଛାତ୍ରଛାତ୍ରୀଙ୍କ ସମର୍ଥନ ବୋଲି ବିସିଜେଡି ମତ ଦେଇଛି। ଅନ୍ୟପଟେ ଏବିଭିପି ପକ୍ଷରୁ ମୋଟ କ୍ୟାମ୍ପସ୍‌ର ୮୧ ପ୍ରତିଶତରେ ସଫଳତା ମିଳିଥିବା ଦାବି କରାଯାଇଛି। ଯାହକୁ ଭୁଲ୍ ତଥ୍ୟ ବୋଲି କହି ବଡ ଅଭିଯୋଗ ଆଣୁଛି ବିସେଜିଡି । ତେବେ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବିଭିପିର ପ୍ରଦର୍ଶନ ଭଲ ରହିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରେଭେନ୍ସାରେ ବିସିଜେଡି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି। ତେବେ ଏହି ଫଳ ପଞ୍ଚାୟତ ଭୋଟରେ ପ୍ରତିଫଳିତ ହେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ମୋହନ ସରକାରଙ୍କ ପାଇଁ କେଉଁ ପ୍ରସଙ୍ଗ ଚ୍ୟାଲେଞ୍ଜ?

ବିଜେପି ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ଆଶା ବଢ଼ିଥିଲା। କିନ୍ତୁ ଚାଷୀଙ୍କ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡିରେ କଟନି-ଛଟନି ଅଭିଯୋଗ, ନିଯୁକ୍ତି ସୁଯୋଗ, ପରୀକ୍ଷାରେ ଅନିୟମିତତା ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନରେ ବିଳମ୍ବ ଭଳି ପ୍ରସଙ୍ଗ ସରକାରଙ୍କ ପାଇଁ ରାଜନୈତିକ ଚାପ ସୃଷ୍ଟି କରିଛି। ବିଶେଷକରି ୨୦୨୬ ଜୁନ୍‌ରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କ ପେନ୍‌ସନ୍‌ ବିଳମ୍ବ ନେଇ ବିବାଦ ହୋଇଥିଲା। ସରକାର ଏହା ପଛରେ କେନ୍ଦ୍ରୀୟ ସଫ୍ଟୱେର୍‌ ସମସ୍ୟା ଥିବା କହିଥିଲେ।  ଏହା ସହ ଆଇନଶୃଙ୍ଖଳା, ମହିଳାଙ୍କ ସୁରକ୍ଷା ଓ ସରକାରୀ ଚାକିରି ପ୍ରତିଶ୍ରୁତିର ଅଗ୍ରଗତିକୁ ନେଇ ମଧ୍ୟ ବିରୋଧୀ ବିଜେଡି ପ୍ରଶ୍ନ ଉଠାଉଛି।

ନବୀନଙ୍କ ପାଇଁ ଫେରିବା ରାସ୍ତା ଅଛି କି?

୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନ ଜିତି ସରକାର ଗଠନ କରିଥିଲା, ଯେତେବେଳେ ବିଜେଡି ୫୧ଟି ଆସନ ପାଇଥିଲା। ଭୋଟ୍‌ ପ୍ରତିଶତରେ କିନ୍ତୁ ଦୁଇ ଦଳର ମଧ୍ୟରେ ବ୍ୟବଧାନ ଖୁବ୍‌ କମ୍‌ ଥିଲା, ବିଜେଡି ୪୦.୨୨% ଓ ବିଜେପି ୪୦.୦୭% ଭୋଟ୍‌ ପାଇଥିଲା। ଅର୍ଥାତ୍ କଡା ଟକ୍କର ହୋଇଥିଲା । ଏହି ତଥ୍ୟ ଦେଖାଉଛି ଯେ ବିଜେଡିର ଭୋଟ୍‌ ଆଧାର ସମ୍ପୂର୍ଣ୍ଣ ଭାଙ୍ଗିଯାଇନଥିଲା। ନବୀନ ପଟ୍ଟନାୟକଙ୍କ ଦୀର୍ଘ ଶାସନ ଅନୁଭବ, ତାଙ୍କ ଲୋକପ୍ରୟିତା ଓ କଲ୍ୟାଣମୂଳକ ଯୋଜନାର ପୁରୁଣା ପ୍ରଭାବ ତାଙ୍କ ଦଳ ପାଇଁ ଶକ୍ତି ହୋଇପାରେ।

ଅନ୍ୟପଟେ ବିଜେପି ପାଖରେ ସରକାରୀ ଯୋଜନା କାର୍ଯ୍ୟକାରିତା, ନିଯୁକ୍ତି ଓ ଚାଷୀଙ୍କ ସମସ୍ୟାର ସମାଧାନ ମାଧ୍ୟମରେ ନିଜର ସମର୍ଥନ ବଢ଼ାଇବାର ସୁଯୋଗ ଅଛି। ଏଥିସହିତ ମୋହନ ସରକାରଙ୍କ ଦୁଇ ବର୍ଷ ଭିତରେ ଅନେକ ଲୋକାଭିମୁଖୀ ଯୋଜନା ମଧ୍ୟ ଚର୍ଚ୍ଚାର ଶିରୋନାମାରେ ରହିଛି । ଯେମିତିକି ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା, ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା, ‘ସମୃଦ୍ଧ କୃଷକ ଯୋଜନା’ ଅଧୀନରେ ଧାନ କ୍ରୟ ସହ ଇନ୍‌ପୁଟ୍‌ ସହାୟତା ପ୍ରଦାନ ଏବଂ ଶିଳ୍ପ ନିବେଶକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ। ଯାହା ସିଧାସଳଖ ଭୋଟରଙ୍କୁ ପ୍ରଭାବିତ କରିପାରିବ ।

ପଞ୍ଚାୟତ ନିର୍ବାଚନ କହିବ ସତ?

ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ଉଭୟ ବିଜେପି ଓ ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୮୫୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୬ଟି ଜିତିଥିଲା। ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲା। ଏବେ କ୍ଷମତାରେ ବିଜେପି ଥିବାରୁ ଆଗାମୀ ନିର୍ବାଚନରେ ଗାଁ ଗାଁରେ ବିଜେଡି ନିଜର ପୁରୁଣା ସଂଗଠନ ଓ ଜନସମର୍ଥନ କେତେ ଫେରାଇ ଆଣିପାରୁଛି, ତାହା ଏକ ବଡ଼ ପ୍ରଶ୍ନବାଚୀ। ଅନ୍ୟପଟେ ବିଜେପି ସରକାରରେ ଥାଇ ନିଜର ତୃଣମୂଳ ସଂଗଠନକୁ କେତେ ମଜଭୁତ କରିପାରୁଛି, ତାହା ମଧ୍ୟ ପରୀକ୍ଷା ହେବ।

Leave A Reply

Your email address will not be published.