ନାଗପୁର: ମହାରାଷ୍ଟ୍ରରେ RSSର ବିଜୟାଦଶମୀ ଉତ୍ସବ ଅବସରରେ ମୋହନ ଭାଗବତ ଆତ୍ମଭାବ ଏବଂ ଆତ୍ମ-ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ସମାରୋହ ଉପଲକ୍ଷେ ଦେଶବାସୀଙ୍କୁ RSS ସରସଂଘଚାଳକ ମୋହନ ଭାଗବତ ସମ୍ୱୋଧିତ କରିଛନ୍ତି। ମୋହନ ଭାଗବତ କହିଛନ୍ତି ଯେ, ବିଗତ ୧୦୦ ବର୍ଷ ଧରି ଚାଲିଆସିଥିବା ସଂଘର କାର୍ଯ୍ୟ ହେଉଛି ‘ସ୍ଵ’ କୁ ଜାଗ୍ରତ କରିବା । ଏହି ପରିଚୟ ହିଁ ଭାରତକୁ ଏକଜୁଟ କରିବା ଏବଂ ଶକ୍ତିଶାଳୀ କରିବା ପାଇଁ ଏକ ମୂଳଦୁଆ । ସେ ଏହି ସାଂସ୍କୃତିକ ଆତ୍ମଭାବକୁ ସିଧାସଳଖ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ସହ ଯୋଡ଼ିଛନ୍ତି।
ସେ କହିଛନ୍ତି, ଭାରତରେ ଲୋକଙ୍କ ଭାବନା ଏକ, ପ୍ରଶଂସା କରୁଛି ସାରା ବିଶ୍ୱ। ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର। ରାଷ୍ଟ୍ରନିଷ୍ଠା ସହ କର୍ତ୍ତବ୍ୟବୋଧକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଆଜିର ସମୟରେ ବିକେକପୂର୍ଣ୍ଣ ଶିକ୍ଷା ଜରୁରୀ ହୋଇପଡ଼ିଛି।ତପସ୍ୟା ଓ ସମର୍ପଣ ଭାବ କେବଳ ଭାରତବାସୀଙ୍କ ପାଖରେ ଅଛି। ଏହି ପରିଚୟ ହିଁ ଭାରତକୁ ଏକଜୁଟ କରିବା ଏବଂ ଶକ୍ତିଶାଳୀ କରିବା ପାଇଁ ଏକ ମୂଳଦୁଆ ବୋଲି କହିଛନ୍ତି ମୋହନ ଭାଗବତ।
ତାଙ୍କ କହିବା ଅନୁଯାୟୀ, ‘ସ୍ଵବୋଧ’ ସମ୍ବିଧାନର ପ୍ରାରମ୍ଭିକ ବାକ୍ୟ “ଆମେ, ଭାରତର ଜନସାଧାରଣ” ମଧ୍ୟରେ ପ୍ରତିଫଳିତ ହୋଇଛି । ଏହି ‘ଆମେ’ ଭାବନା ହେଉଛି ଏକ ଆବେଗିକ ବନ୍ଧନ, ଯାହା ପ୍ରାଚୀନ କାଳରୁ ଏଭଳି ଏକ ବହୁ-ବିବିଧତାପୂର୍ଣ୍ଣ ଦେଶକୁ ଏକ ସମାଜ ଓ ଏକ ରାଷ୍ଟ୍ର ଭାବରେ ବାନ୍ଧି ରଖିଛି । ସେ ଚେତାବନୀ ଦେଇଛନ୍ତି ଯେ, ଯେତେବେଳେ ଆମେ ନିଜର ଏହି ସାଧାରଣ ପରିଚୟକୁ ଭୁଲିଗଲେ, ସେତେବେଳେ ଆମର ପତନ ଘଟିଲା ଯେ, ଆମେ ବିଭାଜିତ ଏବଂ ଦୁର୍ବଳ ହେଲୁ, ଯାହାଫଳରେ ଆମକୁ ଶହ ଶହ ବର୍ଷ ଧରି ଔପନିବେଶିକ ଶାସନ ଭୋଗିବାକୁ ପଡ଼ିଲା ।

