ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ଟଙ୍କା ଏବଂ ବିଦେଶରେ ଚାକିରି ପାଇବା ଲୋଭରେ ଅଭିଯୁକ୍ତମାନେ ଏହି ଆକ୍ରମଣ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣ ମାମଲାରେ ପୋଲିସ କିଛି ସୁଟରଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଏହି ସମ୍ପର୍କରେ ସୂଚନା ମିଳିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ବିଦେଶରେ ଭଲ ଚାକିରି ଏବଂ ମୋଟା ଅଙ୍କର ଟଙ୍କାର ଲୋଭ ଦେଖାଇ ଟାଇଗର ଶ୍ରଫ୍ଙ୍କ ଉପରକୁ ଗୁଳି ଚଳାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା। ୫୦ ହଜାର ଅଗ୍ରୀମ ନେଇଥିଲେ, ହତ୍ୟାକାଣ୍ଡ ପରେ ଅବଶିଷ୍ଟ ମିଳିଥାନ୍ତା। ମାତ୍ର ୫୦ ହଜାର ଟଙ୍କାକୁ ଥରକରେ ନୁହେଁ, ଥର ଥର କରି ନେଇଥିଲେ। ନେପାଳକୁ ଖସିଯିବା ପାଇଁ ଉଦ୍ୟମ ବେଳେ ରାଜସ୍ଥାନ କୋଟାରୁ ଧରାପଡ଼ିଥିଲେ ୩ ଅଭିଯୁକ୍ତ।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। କାଲିଫର୍ଣ୍ଣିଆରେ ରହୁଥିବା ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ଏହି ସୁଟରମାନଙ୍କ ସହ ଯୋଗାଯୋଗରେ ଥିଲା ଏବଂ ଆକ୍ରମଣ ସମୟରେ ସେ ଲାଇଭ୍ ମଧ୍ୟ ଥିଲା। ରାଜସ୍ଥାନର କୋଟା ପୋଲିସ ଏବଂ ମୁମ୍ବାଇ ପୋଲିସର ମିଳିତ ଉଦ୍ୟମରେ ଏହି ଘଟଣାରେ ସଂପୃକ୍ତ ସୁଟର ଓ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣର ମୂଳ ଉଦ୍ଦେଶ୍ୟ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ଭୟ ସୃଷ୍ଟି କରି ଧମକ ଚମକ ଦେବା କିମ୍ବା ପଇସା ଆଦାୟ କରିବା ଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଏବେ ମଧ୍ୟ ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରଖିଛି।

