Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ କେନ୍ଦ୍ରରେ ନିଜ ସରକାରକୁ ବଞ୍ଚାଇବା ପାଇଁ ବିଜେପି ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ।
ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବିବାଦୀୟ କୋଟିଆ ଅଞ୍ଚଳରେ ନିର୍ବାଚନ କରାଇବା ପ୍ରସ୍ତାବକୁ ନେଇ ପ୍ରତିକ୍ରିୟା ରଖି ଭକ୍ତ ଦାସ ରାଜ୍ୟ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କୋଟିଆ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ଭକ୍ତ ଦାସ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରର ସ୍ଥିରତା ପାଇଁ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ସମର୍ଥନ ଆବଶ୍ୟକ ହେଉଥିବାରୁ ବିଜେପି କୋଟିଆ ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ନେବାକୁ ପଛଘୁଞ୍ଚା ଦେଉଛି। ଟିଡିପି ସମର୍ଥନ ପ୍ରତ୍ୟାହାର କଲେ କେନ୍ଦ୍ର ସରକାରଙ୍କ ସ୍ଥିରତା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରି ବିଜେପି ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଥିବା ସେ କହିଛନ୍ତି। ଭକ୍ତ ଦାସ କହିଛନ୍ତି, “ନିଜ ସରକାରକୁ ବଞ୍ଚାଇବା ପାଇଁ ବିଜେପି ନିଜ ରାଜ୍ୟର ସ୍ୱାର୍ଥକୁ ବିକି ଦେଉଛି। କେନ୍ଦ୍ରରେ ଟିଡିପିର ସମର୍ଥନ ବଜାୟ ରଖିବାକୁ ଦଳ ନିରବ ରହିଛି। ନିଜ ଅଞ୍ଚଳକୁ ସୁରକ୍ଷା ଦେଇପାରୁ ନଥିବା ସରକାର ଆଉ କ’ଣ କରିପାରିବ?”
କୋଟିଆର ପରିସ୍ଥିତି ଅନୁଧ୍ୟାନ କରିବା ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜସ୍ୱ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ତୁରନ୍ତ ସେଠାକୁ କାହିଁକି ଗସ୍ତ କରିନାହାନ୍ତି ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି। ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଓଡ଼ିଶାର ବିଜେପି ସରକାର ଏକ “ରବର ଷ୍ଟାମ୍ପ୍” ଭଳି କାମ କରୁଛି ଏବଂ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
କୋଟିଆ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରି ଭକ୍ତ ଦାସ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ନବୀନ ଉଦ୍ବେଗ ପ୍ରକାଶ କରି ଠିକ୍ କରିଛନ୍ତି। କେନ୍ଦ୍ରରେ ଟିଡିପି ଉପରେ ବିଜେପିର ନିର୍ଭରଶୀଳତା ହିଁ କୋଟିଆ ପ୍ରସଙ୍ଗରେ ନିଷ୍କ୍ରିୟତାର କାରଣ ବୋଲି ସେ ପୁନର୍ବାର ଅଭିଯୋଗ କରିଛନ୍ତି। ଏଥିସହିତ କୋଟିଆ ପ୍ରସଙ୍ଗରେ କଂଗ୍ରେସ ଚୁପ୍ ହୋଇ ବସିବ ନାହିଁ ବୋଲି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି। ଓଡ଼ିଶାର ଭୌଗୋଳିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ଯେକୌଣସି ପଦକ୍ଷେପ ବିରୋଧରେ ଦଳ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରସ୍ତାବିତ ନିର୍ବାଚନକୁ ନେଇ ରାଜନୈତିକ ବିବାଦ ଜୋର୍ ଧରିଥିବାବେଳେ, ଏହି ପ୍ରସଙ୍ଗରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ନଜର ରହିଛି।

