Latest Odisha News

BREAKING NEWS

Dussehra 2026: ନିଜ ହାତରେ ରାବଣ ଦହନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାମରାଜ୍ୟର ଆଦର୍ଶକୁ ମନେ ପକାଇ ଦଶହରା ମଞ୍ଚରୁ ମୋଦୀ ଦେଲେ ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଧୁମ୍‌ଧାମରେ ପାଳନ ହେଉଛି ପବିତ୍ର ବିଜୟାଦଶମୀ ବା ଦଶହରା ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଏହି ପର୍ବ ଅବସରରେ ଦିଲ୍ଲୀରେ ଆୟୋଜିତ ଦଶହରା ସମାରୋହରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ, ସୁଶାସନ, ଗରିବଙ୍କ ସେବା ଓ ରାଷ୍ଟ୍ରର ସାମୂହିକ ଶକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି, “କ୍ଷମତାର ଉଦ୍ଦେଶ୍ୟ ଶାସନ କରିବା ନୁହେଁ, ବରଂ ଜନକଲ୍ୟାଣ କରିବା।” ଅନ୍ୟପଟେ, ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଆଜିର ଭାରତ ପ୍ରଭୁ ଶ୍ରୀରାମଙ୍କ କଥାରେ ପ୍ରତିଫଳିତ ସମାନତା ଓ ସମାବେଶିତାର ଆଦର୍ଶ ଅନୁସାରେ ଆଗକୁ ବଢ଼ୁଛି।

ମଙ୍ଗଳବାର ଅକ୍ଟୋବର ୨୦ରେ ଦିଲ୍ଲୀର ଦୁଇଟି ପ୍ରମୁଖ ସ୍ଥାନରେ ବିଜୟାଦଶମୀ ସମାରୋହ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱାରକା ସେକ୍ଟର-୧୦ସ୍ଥିତ ଶ୍ରୀରାମଲୀଳା କମିଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଦିଲ୍ଲୀର ଆଇପି ଏକ୍ସଟେନ୍‌ସନ୍‌ସ୍ଥିତ ଉତ୍ସବ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ସାମିଲ ହୋଇଛନ୍ତି। ଏହି ସମାରୋହଗୁଡ଼ିକରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ ପ୍ରତିକାତ୍ମକ ପୁତ୍ତଳିକା ଦହନ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ବିଜୟର ସ୍ମୃତିକୁ ଉଜ୍ଜୀବିତ କରୁଥିବା ଏହି ପର୍ବ ମାଧ୍ୟମରେ ସତ୍ୟ, ନ୍ୟାୟ ଓ ଧର୍ମର ମହତ୍ତ୍ୱକୁ ମନେ ପକାଉଛନ୍ତି ଲୋକେ।

ଦ୍ୱାରକାରେ ଆୟୋଜିତ ବିଜୟାଦଶମୀ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାବଣ ପୁତ୍ତଳିକାକୁ ପ୍ରତୀକାତ୍ମକ ତୀର ମାରି ରାବଣ ଦହନ କରିଥିଲେ। ଏହି ଉତ୍ସବରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ ବିଶାଳ ପୁତ୍ତଳିକା ଦହନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗଦେଇଥିଲେ। ଦ୍ୱାରକା ଶ୍ରୀରାମଲୀଳା ସୋସାଇଟି ପକ୍ଷରୁ ଆୟୋଜିତ ଏହି ଉତ୍ସବର ୧୫ତମ ସଂସ୍କରଣ ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ଥିଲା ୨୨୧ ଫୁଟ ଉଚ୍ଚତାର ରାବଣ ପୁତ୍ତଳିକା।

ପୂର୍ବ ଦିଲ୍ଲୀର ଆଇପି ଏକ୍ସଟେନ୍‌ସନ୍‌ସ୍ଥିତ ଉତ୍ସବ ଗ୍ରାଉଣ୍ଡରେ ଦଶହରା ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଭୁ ଶ୍ରୀରାମ, ମାତା ଜାନକୀ ଓ ବଜରଙ୍ଗବଳୀଙ୍କ ଚରଣରେ ପ୍ରଣାମ ଜଣାଇଥିଲେ। ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇ ସେ କହିଥିଲେ ଯେ ଆଜି ଭାରତର କୋଣ ଅନୁକୋଣ ରାମମୟ ହୋଇଉଠିଛି। ଦେଶବ୍ୟାପୀ ରାମଲୀଳା ଆୟୋଜନ, ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଜୀବନ୍ତ ରଖିବାର ପରମ୍ପରା, ଅତ୍ୟାଚାର ଓ ଆତଙ୍କର ଅନ୍ତ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବିଶ୍ୱାସ, ଏସବୁ କେବଳ ପର୍ବପର୍ବାଣୀ ନୁହେଁ, ବରଂ ଭାରତର ପ୍ରାଣଶକ୍ତି ବୋଲି ମୋଦୀ କହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ବ୍ୟାଖ୍ୟା କରି ମୋଦୀ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଓ ପୂର୍ବପୁରୁଷମାନେ ହଜାର ହଜାର ବର୍ଷ ଧରି ପ୍ରଭୁ ଶ୍ରୀରାମଙ୍କ ଉପାସନା କରିଆସିଛନ୍ତି। ଏହି ଆସ୍ଥା କେବଳ ରାବଣର ବିନାଶ ପାଇଁ ନୁହେଁ, ବରଂ ଶ୍ରୀରାମ ମାନବଜାତିକୁ ଦେଇଥିବା ଅତୁଳନୀୟ ଆଦର୍ଶ ପାଇଁ ମଧ୍ୟ ରହିଛି।

ମୋଦୀଙ୍କ ଅନୁଯାୟୀ, ରାମରାଜ୍ୟ ହେଉଛି ଏପରି ଏକ ଶାସନ ବ୍ୟବସ୍ଥା, ଯେଉଁଠାରେ କାହା ପ୍ରତି ଭେଦଭାବ ହୁଏନାହିଁ, ସମସ୍ତଙ୍କୁ ନ୍ୟାୟ ମିଳେ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରାଯାଏ। ସେ କହିଛନ୍ତି, “ସତ୍ତାର ଉଦ୍ଦେଶ୍ୟ ଶାସନ କରିବା ନୁହେଁ, ବରଂ ଜନକଲ୍ୟାଣ ହେବା ଉଚିତ। ଏହା ହିଁ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ।” ଜନତାଙ୍କୁ ଜନାର୍ଦ୍ଦନ ଭାବେ ଦେଖିବା ସହ ନାଗରିକଙ୍କୁ ସମ୍ମାନ ଦେବା ଏବଂ ଗରିବ, ଅବହେଳିତ ଓ ବଞ୍ଚିତ ବର୍ଗର ଲୋକଙ୍କ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଦେଶବାସୀଙ୍କୁ ଆତ୍ମନିର୍ଭରତା ଓ ସାମୂହିକ ପ୍ରୟାସର ବାର୍ତ୍ତା ଦେଇ ମୋଦୀ କହିଛନ୍ତି ଯେ ସଙ୍କଟ ଯେତେ ବଡ଼ ହେଉ କିମ୍ବା ଆହ୍ୱାନ ଯେତେ କଠିନ ହେଉ, ଅନ୍ୟମାନଙ୍କ ଉପରେ ନିର୍ଭର କରି ବସି ରହିବା ଉଚିତ ନୁହେଁ । ନିଜ ସାମର୍ଥ୍ୟକୁ ଚିହ୍ନିବା, ଉପଲବ୍ଧ ସମ୍ବଳ ଉପରେ ଭରସା ରଖିବା, ସଂକଳ୍ପକୁ ଶକ୍ତିରେ ପରିଣତ କରିବା ଏବଂ ପରିଶ୍ରମ ମାଧ୍ୟମରେ ସମାଧାନ ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀରାମଙ୍କ ଲଙ୍କା ଯାତ୍ରାର ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ସାମ୍ନାରେ ସମୁଦ୍ର ଥିଲା ଏବଂ ଲଙ୍କା ଦୂରରେ ଥିଲା, କିନ୍ତୁ ଶ୍ରୀରାମଙ୍କ ସଂକଳ୍ପ ଅଟଳ ଥିଲା। ସେ ଲୋକଙ୍କ ସାମୂହିକ ଶକ୍ତିକୁ ଜାଗ୍ରତ କରିଥିଲେ ଏବଂ ଜନଭାଗୀଦାରିକୁ ନିଜର ଶକ୍ତି କରି ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ସମ୍ଭବ କରିଥିଲେ।

ଭାରତର ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ କହି ମୋଦୀ ଉଲ୍ଲେଖ କରିଛନ୍ତି ଯେ ଶତାବ୍ଦୀ ଧରି ଦେଶର ଅନେକ ଐତିହାସିକ ଓ ସାଂସ୍କୃତିକ ସମ୍ପଦ ଲୁଟ୍‌ ହୋଇ ବିଦେଶକୁ ନିଆଯାଇଥିଲା। କିନ୍ତୁ ଏବେ ସେହି ସମ୍ପଦକୁ ଭାରତକୁ ଫେରାଇ ଅଣାଯାଉଛି। ତାଙ୍କ କହିବା ଅନୁଯାୟୀ, ବିଗତ ୧୨ ବର୍ଷ ମଧ୍ୟରେ ୬୫୦ରୁ ଅଧିକ ପ୍ରାଚୀନ ମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇଛି। ଭାରତ ନିଜର ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ବିଶ୍ୱସ୍ତରରେ ନୂଆ ପରିଚୟ ଦେଉଛି ବୋଲି ସେ କହିଛନ୍ତି। ମୋଦୀ ଆହୁରି କହିଛନ୍ତି ଯେ ଶତ୍ରୁ ଯେତେ ଶକ୍ତିଶାଳୀ ହେଉନା କାହିଁକି, ସତ୍ୟ ଓ ମାନବିକତାର ପଥରେ ରହିଲେ ଶେଷରେ ବିଜୟ ମିଳିଥାଏ। ବିଜୟାଦଶମୀର ଏହି ବାର୍ତ୍ତା ଭାରତର ବିଚାରଧାରାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ସେ ମତ ଦେଇଛନ୍ତି।

ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏକତାର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରର ସମସ୍ତ ଅନୁଷ୍ଠାନ, ସଂସ୍ଥା ଓ ରାଜନୈତିକ ଦଳ ଜାତୀୟ ସ୍ୱାର୍ଥ ପାଇଁ ଏକାଠି ଠିଆ ହେବା ଉଚିତ। ଦେଶର କ୍ଷତି କରୁଥିବା ଶକ୍ତି, ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଲୋକ ଏବଂ ଭାରତୀୟ ସଂସ୍କୃତି ପ୍ରତି ଘୃଣା ରଖୁଥିବା ମାନସିକତା ବିରୋଧରେ ଏକାଠି ହୋଇ ଲଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ତେବେ ପୂର୍ବ ଦିଲ୍ଲୀର ଆଇପି ଏକ୍ସଟେନ୍‌ସନ୍‌ସ୍ଥିତ ଉତ୍ସବ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ପ୍ରାୟ ୨,୫୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମସ୍ଥଳ ଓ ଏହାର ଆଖପାଖରେ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯିବା ସହ ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶ୍ରୀରାମଲୀଳା କମିଟି ଇନ୍ଦ୍ରପ୍ରସ୍ଥ ପକ୍ଷରୁ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.