ପ୍ୟାରିସ୍: ଫ୍ରାନ୍ସରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସାତ୍ମକ ବିକ୍ଷୋଭ, ଗଣ-ଆନ୍ଦୋଳନ ଏବଂ କେତେକ ସହରରେ ଜାରି କରାଯାଇଥିବା ସ୍ଥାନୀୟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା ଏବଂ ଗସ୍ତରେ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ ଜାରି କରିଛି।
ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସାବଧାନତା ଅବଲମ୍ବନ କରିବାକୁ ନିବେଦନ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, “ଫ୍ରାନ୍ସର ବର୍ତ୍ତମାନର ପରିସ୍ଥିତି ଏବଂ ବିଭିନ୍ନ ଅଞ୍ଚଳରେ ଲାଗୁ କରାଯାଇଥିବା କର୍ଫ୍ୟୁକୁ ନଜରରେ ରଖି ସମସ୍ତେ ସତର୍କ ରୁହନ୍ତୁ। ଜନଗହଳିପୂର୍ଣ୍ଣ ସ୍ଥାନ, ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ଅଞ୍ଚଳ ଏବଂ ବଡ଼ ଧରଣର ସମାବେଶରୁ ଦୂରେଇ ରୁହନ୍ତୁ।” ଏହା ସହିତ ସ୍ଥାନୀୟ ଫ୍ରାନ୍ସ ପ୍ରଶାସନ ଦ୍ୱାରା ଦିଆଯାଉଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।
ଫ୍ରାନ୍ସରେ ଶିକ୍ଷାନୁଷ୍ଠାନର ସମସ୍ୟା, ଜୀବନଧାରଣ ଖର୍ଚ୍ଚ ବୃଦ୍ଧି ଏବଂ ସରକାରୀ ନୀତି ବିରୋଧରେ ଛାତ୍ର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ବିକ୍ଷୋଭ ଜାରି ରହିଛି। ଅନେକ ସ୍ଥାନରେ ଗାଡ଼ି ଚଳାଚଳ ଏବଂ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନଙ୍କୁ ସରକାରୀ ୱେବସାଇଟ୍ ଏବଂ ବିମାନ ସେବା ସଂସ୍ଥାଗୁଡ଼ିକ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।
ଯେକୌଣସି ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର (+33 6 48 34 00 63) ଏବଂ ଇମେଲ୍ (cons.paris@mea.gov.in) ଜାରି କରିଛି । ସେହିପରି *ମାର୍ସେଲସ୍ଥିତ କନସୁଲେଟ୍ ପକ୍ଷରୁ ମଧ୍ୟ ଜରୁରୀ ନମ୍ବର (+33 7 43 16 25 59) ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଭାରତୀୟଙ୍କୁ ନିଜର ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଇଛି।
ଫ୍ରାନ୍ସରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସାତ୍ମକ ଘଟଣା ବୃଦ୍ଧି ପାଉଥିବାରୁ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି। ଯାତ୍ରୀମାନଙ୍କୁ ସ୍ଥାନୀୟ ଗଣମାଧ୍ୟମ ଓ ସରକାରୀ ସୂଚନା ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

