ଭୁବନେଶ୍ୱର: ରାଜସ୍ୱ ପର୍ଷଦ (Board of Revenue) ସଦସ୍ୟଙ୍କ ଏକ ଐତିହାସିକ ରାୟ କ୍ରମେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ପ୍ରାୟ ୧୧ ଏକର ମୂଲ୍ୟବାନ ସରକାରୀ ଜମି ପୁନର୍ବାର ସରକାରଙ୍କ ଖାତାକୁ ଫେରିଛି। ବେଆଇନ ଭାବେ ବ୍ୟକ୍ତିଗତ ମାଲିକାନାରେ ରହିଥିବା ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଜବରଦଖଲକାରୀଙ୍କ କବଳରୁ ପ୍ରାୟ ୧୧ ଏକର ସରକାରୀ ଜମି ମୁକ୍ତ ହୋଇ ପୁଣି ସରକାରୀ ଖାତାକୁ ଫେରିଛି।
କୋଣାର୍କ ସୂର୍ଯ୍ୟ ମନ୍ଦିର ଅଞ୍ଚଳରେ ଥିବା ଏହି ବିବାଦୀୟ ସରକାରୀ ଜମିକୁ ଜନୈକ ବ୍ୟକ୍ତି ନିଜ ନାମରେ କରାଇ ନେଇଥିଲେ। ଏହି ମାମଲାର ଶୁଣାଣି କରି ରାଜସ୍ୱ ପର୍ଷଦ ସଦସ୍ୟ ପୂର୍ବରୁ ହୋଇଥିବା ବେଆଇନ ମ୍ୟୁଟେସନ ବା ଜମି ରେକର୍ଡକୁ ରଦ୍ଦ କରିଛନ୍ତି। ବିବାଦୀୟ ଦଲିଲ୍ ଆଧାରରେ କରାଯାଇଥିବା ସମସ୍ତ ବେଆଇନ ରେକର୍ଡକୁ ସଂଶୋଧନ କରି ଏହାକୁ ସରକାରୀ ଜମି ଭାବେ ପୁନଃ ପଞ୍ଜୀକୃତ କରିବାକୁ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଜମି ହଡ଼ପ କରିବା ଉଦ୍ଦେଶ୍ୟରେ ହୋଇଥିବା ଜାଲିଆତିର ବିସ୍ତୃତ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ସୂଚନା ଅନୁୟାୟୀ, କୋଣାର୍କ ହେଲିପ୍ୟାଡ୍ ନିକଟ ୫ ଏକର ୩୦ ଡିସିମିଲି ଜମି ସରକାରୀ ଖାତାକୁ ଫେରିଛି। ଚନ୍ଦ୍ରଭାଗା ମାଘମେଳା ନିକଟ ୫ ଏକର ୮୦ ଡିସିମିଲି ଜମି ବି ସରକାରୀ ଖାତାକୁ ଫେରିଛି। ଉଦ୍ଧାର ହୋଇଥିବା ଏହି ସରକାରୀ ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ହେବ। କୋର୍ଟ ଅଫ୍ ମେମ୍ବର, ରାଜସ୍ବ ପର୍ଷଦ ଏହି ବଡ଼ ଜମି ଜାଲିଆତି ମାମଲାର ଶୁଣାଣି କରି ବେଆଇନ ଭାବେ ଜଣେ ବେସରକାରୀ ବ୍ୟକ୍ତିଙ୍କ ନାମରେ ହୋଇଥିବା ରେକର୍ଡକୁ ରଦ୍ଦ କରିଛନ୍ତି ଏବଂ ଜମିକୁ ସରକାରଙ୍କ ଅଧୀନକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସରକାରୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ କରୁଥିବା ମାଫିଆ ଓ ଜବରଦଖଲକାରୀଙ୍କ ବିରୋଧରେ ରାଜସ୍ବ ପର୍ଷଦ ପକ୍ଷରୁ ନିଆଯାଉଥିବା କଡ଼ା ଆଭିମୁଖ୍ୟ କ୍ରମରେ ଏହା ଏକ ବଡ଼ ସଫଳତା।

