ସିମୁଳିଆ:ନକଲି ମହୁ ପ୍ରସ୍ତୁତି କରାଯାଉଥିବା ଅଭିଯୋଗ ହୋଇଛି । ସିମୁଳିଆ ଥାନା ଅଡ଼ା ବଜାରରେ ବାହାର ଜିଲ୍ଲାରୁ କିଛି ଲୋକ ଆସି ନକଲି ମହୁ ପ୍ରସ୍ତୁତ କରୁଥିବା ଖବର ପାଇଥିଲେ ସ୍ଥାନୀୟ ଲୋକେ । ପାଣି, ଚିନି, ଫିଟିକିରି ଓ ରଙ୍ଗ ମିଶାଇ ମହୁ ପ୍ରସ୍ତୁତ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନାମୁତାବକ, ବାହାର ଜିଲ୍ଲାରୁ କିଛି ଲୋକ ଅଡ଼ା ବଜାର ଅଞ୍ଚଳକୁ ଆସି ମହୁ ପ୍ରସ୍ତୁତ କରିବା ସହ ଗାଁ ଗାଁ ବୁଲି ତାହାକୁ ବିକ୍ରି କରୁଥିଲେ। ତେବେ ବିକ୍ରି ହେଉଥିବା ମହୁର ଉତ୍ସ ଓ ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ମହୁ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଲୋକେ ମହୁ କେଉଁଠାରୁ ସଂଗ୍ରହ କରାଯାଇଛି ଏବଂ କିପରି ପ୍ରସ୍ତୁତ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଯୁବକ ଜଣକ ମହୁର ଉତ୍ସ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ। ଏହାପରେ ସନ୍ଦେହ ଆହୁରି ବଢ଼ିଥିଲା। ମହୁ ପ୍ରସ୍ତୁତି ପ୍ରକ୍ରିୟା ଦେଖାଇବାକୁ ଲୋକେ କହିବାରୁ ଯୁବକ ଜଣକ ପାଣି, ଚିନି, ଫିଟିକିରି ଓ ରଙ୍ଗ ମିଶାଇ ମହୁ ଭଳି ଏକ ପଦାର୍ଥ ପ୍ରସ୍ତୁତ କରି ଦେଖାଇଥିଲେ।
ଏପଟେ ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆ କହିଛନ୍ତି ଯେ ଆମ ପାଖରେ ଏ ବାବଦରେ ସୂଚନା ଅଛି । ଆମେ ପ୍ରଥମେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବୁ । ଅପମିଶ୍ରଣର ପ୍ରମାଣ ମିଳିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.