Latest Odisha News

BREAKING NEWS

ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଗୋପୀନାଥ ମହାପାତ୍ରଙ୍କର ଦେହାନ୍ତ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନ, ସାହିତ୍ୟ ସମାଲୋଚକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଗୋପୀନାଥ ମହାପାତ୍ରଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।

ସେ ଜଣେ ବିଶିଷ୍ଟ ଗବେଷକ ଏବଂ ସମାଲୋଚକ ଥିଲେ। ସେ ସଂସ୍କୃତ ସାହିତ୍ୟ ତଥା ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ବିଷୟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ଥିଲେ। ୧୯୪୪ ମସିହା ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିବା ଗୋପୀନାଥ ମହାପାତ୍ର ସଂସ୍କୃତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ଜବଲପୁର ବିଶ୍ୱବିଦ୍ୟାଳୟରୁ ‘ଦ ଲ୍ୟାଣ୍ଡ ଅଫ୍ ବିଷ୍ଣୁ: ଏ ଷ୍ଟଡି ଅନ୍ ଜଗନ୍ନାଥ କଲ୍ଟ’ (The Land of Vishnu: A Study on Jagannath Cult) ଶୀର୍ଷକ ଇଂରାଜୀ ଗବେଷଣା ନିବନ୍ଧ ପାଇଁ ପିଏଚ୍‌ଡି ଉପାଧି ଲାଭ କରିଥିଲେ। ସେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ଓଡ଼ିଶାରେ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ଭଳି ବିଦ୍ୱାନମାନଙ୍କ ସହ ମିଶି କାର୍ଯ୍ୟ କରିଥିଲେ।

ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରୁ ଅବସର ନେଇଥିଲେ। ପରବର୍ତ୍ତୀ ସମୟରେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ରଚିତ ପୁସ୍ତକ ‘ଶ୍ରୀ ଜଗନ୍ନାଥ ତତ୍ତ୍ୱ’ ପାଇଁ ୧୯୯୦ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୯୫ ମସିହାରେ ତାଙ୍କୁ ଜର୍ମାନୀର ପ୍ରତିଷ୍ଠିତ ‘ଏକ୍‌ମ୍ୟାନ୍ ମେମୋରିଆଲ୍ ରିସର୍ଚ୍ଚ ମେଡାଲ୍’ (Echmann Memorial Research Medal) ପ୍ରଦାନ କରାଯାଇଥିଲା। ତାଙ୍କର ବହୁ ଚର୍ଚ୍ଚିତ ସମାଲୋଚନାତ୍ମକ କୃତିଗୁଡ଼ିକ ମଧ୍ୟରେ ‘କାଳିଦାସ କବିତାର ରସ ମାଧୁରୀ’ ଏବଂ ‘ସଂସ୍କୃତ ସାହିତ୍ୟର ଇତିହାସ’ ଅନ୍ୟତମ। ଏହା ବ୍ୟତୀତ ସେ ‘ମେଘଦୂତ’, ‘ଅଭିଜ୍ଞାନ ଶକୁନ୍ତଳମ୍’ ଏବଂ ‘ସ୍ୱପ୍ନବାସବଦତ୍ତମ୍’ ଭଳି ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥଗୁଡ଼ିକର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ।

ଏହାବ୍ୟତୀତ ଜଗନ୍ନାଥ ଦର୍ଶନ ଉପରେ ଆଧାରିତ ତାଙ୍କର ଦୁଇଟି ଇଂରାଜୀ ପୁସ୍ତକ – ‘ଦ ଲ୍ୟାଣ୍ଡ ଅଫ୍ ବିଷ୍ଣୁ: ଏ ଷ୍ଟଡି ଅନ୍ ଜଗନ୍ନାଥ କଲ୍ଟ’ (The Land of Vishnu: A Study on Jagannath Cult) ଏବଂ ‘ଜଗନ୍ନାଥ ଇନ୍ ହିଷ୍ଟ୍ରି ଆଣ୍ଡ ରିଲିଜିୟସ୍ ଟ୍ରାଡିସନ୍ସ ଅଫ୍ ଓଡ଼ିଶା’ (Jagannath in History & Religious Traditions of Orissa, ୧୯୮୨) – ପାଠକ ଓ ଗବେଷକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଥିଲା।

Leave A Reply

Your email address will not be published.