Netanyahu dials PM Modi: ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମୋଦୀଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ! ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ସହ ଜଳାଇବେ ମଶାଲ…
ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ୍ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ନେତାନ୍ୟାହୁ ଇସ୍ରାଏଲ୍ର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ସହ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସହ ମଶାଲ ଜଳାଇବା ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।
ନେତାନ୍ୟାହୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କୁ ଜଣେ ସାହସୀ ଭାରତୀୟ ପାଇଲଟ୍ ଭାବେ ବର୍ଣ୍ଣନା କରିଛନ୍ତି। ନେତାନ୍ୟାହୁଙ୍କ ଅନୁଯାୟୀ, ମୋଦୀ ନିମନ୍ତ୍ରଣ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଆତଙ୍କବାଦ ବିରୋଧରେ ଭାରତ ଓ ଇସ୍ରାଏଲ୍ର ମିଳିତ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି।
ନେତାନ୍ୟାହୁ କହିଛନ୍ତି ଯେ ଫୋନ୍ ଆଲୋଚନା ସମୟରେ ମୋଦୀ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଦୀର୍ଘଦିନର ସମ୍ପର୍କକୁ ପ୍ରଶଂସା କରିଥିଲେ। ଉଭୟ ଦେଶ ସ୍ଥଳଭାଗ ଓ ଆକାଶପଥରେ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ନେଇ ମଧ୍ୟ ଆଲୋଚନା ହୋଇଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ରହିଥିବା ବନ୍ଧୁତ୍ୱ ଏବଂ ସୁରକ୍ଷା ସହଯୋଗକୁ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଫୋନ୍ ଆଲୋଚନା ସମ୍ପର୍କରେ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଭାରତ-ଇସ୍ରାଏଲ୍ ଦ୍ୱିପାକ୍ଷିକ ସମ୍ପର୍କରେ ରହିଥିବା ଗତିକୁ ଉଭୟ ନେତା ସମୀକ୍ଷା କରିବା ସହ ଭବିଷ୍ୟତରେ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପବଦ୍ଧ ହୋଇଥିବା ସେ କହିଛନ୍ତି। ଏହାସହ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାର ଜରୁରୀ ଆବଶ୍ୟକତା ଉପରେ ଦୁଇ ନେତା ଜୋର୍ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ମୋଦୀ ପୁଣିଥରେ ଆଲୋଚନା ଓ କୂଟନୀତିକୁ ଆଗକୁ ବଢ଼ିବାର ଉପଯୁକ୍ତ ମାର୍ଗ ବୋଲି ଦୋହରାଇଛନ୍ତି।
ତେବେ ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୨୫ ଓ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍ ଗସ୍ତ କରିଥିଲେ। ସେହି ଗସ୍ତ ସମୟରେ ଉଭୟ ଦେଶର ନେତା ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ଏକ ନୂଆ ସ୍ତରକୁ ନେବା ପାଇଁ ସହମତ ହୋଇଥିଲେ। ଏହାକୁ ‘ଶାନ୍ତି, ନବସୃଜନ ଓ ସମୃଦ୍ଧି ପାଇଁ ସ୍ୱତନ୍ତ୍ର ରଣନୈତିକ ସହଭାଗିତା’ ଭାବେ ଆଗକୁ ବଢ଼ାଇବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ସମୟରେ ମୋଦୀ କହିଥିଲେ ଯେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଭାରତର ସୁରକ୍ଷା ସ୍ୱାର୍ଥ ସହ ଜଡ଼ିତ। ଗାଜା ଶାନ୍ତି ପଦକ୍ଷେପକୁ ମଧ୍ୟ ଭାରତ ସମର୍ଥନ କରୁଥିବା ସେ କହିଥିଲେ। ଏହାପୂର୍ବରୁ ଆମେରିକା-ଇରାନ୍ ଏବଂ ଇରାନ୍ ସହ ଜଡ଼ିତ ସଂଘର୍ଷ ପରିପ୍ରେକ୍ଷୀରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା ହୋଇଥିଲା।
ତେବେ କହିରଖୁଛୁ, ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛର ଗତ ମାସରେ ଏକ ବିମାନ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଇସ୍ରାଏଲ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ସହ-ପାଇଲଟ୍ ବିମାନଟିକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମୟରେ କ୍ୟାପ୍ଟେନ୍ ମଚ୍ଛର କକ୍ପିଟ୍ ଭିତରେ ସହ-ପାଇଲଟ୍ଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହାପରେ ନେତାନ୍ୟାହୁ ତାଙ୍କ ସହ ଫୋନ୍ରେ କଥା ହୋଇ ସ୍ମିତ ମଚ୍ଛରଙ୍କୁ ‘ସମଗ୍ର ବିଶ୍ୱର ହିରୋ’ ବୋଲି ସମ୍ବୋଧନ କରିଥିଲେ। ବର୍ତ୍ତମାନ ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ତାଙ୍କ ସହ ମଶାଲ ଜଳାଇବା ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କରିବା ଘଟଣା ଏହି ପାଇଲଟ୍ଙ୍କ ସାହସିକତାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

