ମୁମ୍ବାଇ: ଆଇନ ରକ୍ଷକ ସାଜିଲେ ଭକ୍ଷକ! ସାଇବର ଠକେଇ ମାମଲାରେ ଓକିଲଙ୍କୁ ବାନ୍ଧିଲା ପୋଲିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମୁମ୍ବାଇ ବିମାନବନ୍ଦରରେ ଜଣେ ଓକିଲଙ୍କୁ ଏକ ଦେଶବ୍ୟାପୀ ନେଟୱାର୍କ ଲଣ୍ଡରିଂ ସାଇବର ଠକେଇ କାର୍ଯ୍ୟ ସହିତ ଜଡିତ ଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତଙ୍କୁ ମୁମ୍ବାଇର ଓକିଲ ରାଶେସ ଭାରତକୁମାର ଉପାଧ୍ୟାୟ, ଓରଫ ରାଶେସ ଶାହ ଭାବରେ ଚିହ୍ନଟ କରାଯାଇଛି। ଇଡି ଅଭିଯୋଗ କରିଛି ଯେ ସେ ଲାଞ୍ଚ ଦେଇ ସାଇବର ଠକେଇ ନେଟୱାର୍କକୁ ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ଖୋଲିବାରେ ସାହାଯ୍ୟ କରିଥିଲେ।
ଅଭିଯୁକ୍ତ ସାଇବର ଅପରାଧୀମାନଙ୍କୁ ସାହାଯ୍ୟ କରିବା ସହ ପ୍ରାୟ ୧୦୦ଟି ଫ୍ରିଜ୍ ହୋଇଥିବା (ବ୍ୟାନ ହୋଇଥିବା) ବ୍ୟାଙ୍କ ଆକାଉଣ୍ଟକୁ ପୁଣି ସକ୍ରିୟ କରିବା ପାଇଁ ଲାଞ୍ଚ କାରବାରର ମଧ୍ୟସ୍ଥି ସାଜିଥିବା ଅଭିଯୋଗ ହୋଇଛି। ଦେଶବ୍ୟାପୀ ଚାଲିଥିବା ଏକ ବଡ଼ ଧରଣର ସାଇବର ଠକେଇ ନେଟୱର୍କ ସହ ମିଶି ଫ୍ରିଜ୍ ହୋଇଥିବା ଆକାଉଣ୍ଟଗୁଡ଼ିକୁ ବେଆଇନ ଭାବେ ଅନଫ୍ରିଜ୍ (Unfreeze) କରିବା ପାଇଁ ଏହି ଓକିଲ ଜଣକ ସାହାଯ୍ୟ କରୁଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ପାଣାଜୀ ୟୁନିଟ୍ ଏହି ଆଇନଜୀବୀଙ୍କୁ ମୁମ୍ବାଇ ବିମାନବନ୍ଦରରୁ ଗିରଫ କରିଛି। ଏହି ସାଇବର ଲିଙ୍କ୍ ଥିବା ଆକାଉଣ୍ଟଗୁଡ଼ିକରେ ପ୍ରାୟ ₹୨୮,୦୦୦ କୋଟିର ବ୍ୟାଙ୍କିଙ୍ଗ୍ କାରବାର ଏବଂ ₹୨,୯୦୦ କୋଟିର ନଗଦ ଟଙ୍କା ଜମା ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଏହା ବ୍ୟତୀତ ନିକଟରେ ଓଡ଼ିଶାରେ ମଧ୍ୟ ସାଇବର କ୍ରାଇମ ପୋଲିସ ଚାଇନିଜ୍ ହ୍ୟାଣ୍ଡଲର୍ସଙ୍କ ସହ ଜଡ଼ିତ ଏକ ବଡ଼ ଧରଣର ମ୍ୟୁଲ୍ ଆକାଉଣ୍ଟ (Mule Account) ର୍ୟାକେଟ୍ର ପର୍ଦ୍ଦାଫାଶ କରି ଜଣେ ଆଇନ ଛାତ୍ର (Law Student) ଓ ଅନ୍ୟମାନଙ୍କୁ ଗିରଫ କରିଛି, ଯେଉଁମାନେ ନକଲି ଦସ୍ତାବିଜ୍ ବ୍ୟବହାର କରି କର୍ପୋରେଟ୍ ଆକାଉଣ୍ଟ ଖୋଲୁଥିଲେ।

