Latest Odisha News

BREAKING NEWS

WSO ଇଣ୍ଡିଆ ସୁରକ୍ଷା ପୁରସ୍କାରରେ TPNODLକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନ

ବାଲେଶ୍ୱର: ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPNODL) ବିଶ୍ୱ ସୁରକ୍ଷା ସଂଗଠନ (WSO) ଇଣ୍ଡିଆର ରାଜ୍ୟସ୍ତରୀୟ ବୃତ୍ତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍ଏସ୍ଆଣ୍ଡଇ) ପୁରସ୍କାର ୨୦୨୬ରେ ୪-ଷ୍ଟାର୍ ରେଟିଂ ସହ ସ୍ୱର୍ଣ୍ଣ ବର୍ଗୀୟ ବିଜେତା ଭାବେ ସମ୍ମାନିତ କରାଯାଇଛି । ୨୦୨୫ ମୂଲ୍ୟାୟନ ବର୍ଷର ସୁରକ୍ଷା ପ୍ରଦର୍ଶନ ଆଧାରରେ ଡବ୍ଲ୍ୟୁଏସ୍ଓର ବିଚାରକମଣ୍ଡଳୀଙ୍କ କ୍ଷେତ୍ର ପରିଦର୍ଶନ ଓ ମୂଲ୍ୟାୟନ ପରେ କମ୍ପାନିକୁ ଏହି ସ୍ୱୀକୃତି ମିଳିଛି। ମୁମ୍ବାଇରେ ଆୟୋଜିତ ସମାରୋହରେ ଟିପିଏନ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ବିଭାଗ ମୁଖ୍ୟ ତପନ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ କୁମାର ମହାନ୍ତ ଓ ଦିଲୁ ରାଉତ ଏହି ପୁରସ୍କାର ଗ୍ରହଣ କରିଥିଲେ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଟିପିଏନ୍ଓଡିଏଲ୍ର ବିଦ୍ୟୁତ୍ ବିତରଣ କାର୍ୟ୍ୟରେ ଅନୁସୃତ ସୁରକ୍ଷା ବ୍ୟବସ୍ଥା ଏହି ମୂଲ୍ୟାୟନରେ ସାମିଲ ଥିବାବେଳେ କାର୍ୟ୍ୟସ୍ଥଳରେ ସୁରକ୍ଷା ପରିଚାଳନା ଏବଂ ବିଦ୍ୟୁତ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ଦ୍ୱାରା ସୁରକ୍ଷା ପ୍ରକ୍ରିୟାର ଅନୁପାଳନ ଉପରେ ଏନେଇ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟୁତ୍ ବିତରଣ କାର୍ୟ୍ୟରେ ଦୁର୍ଘଟଣା ରୋକିବା ପାଇଁ କାର୍ୟ୍ୟାରମ୍ଭ ପୂର୍ବରୁ ବିପଦ ଚିହ୍ନଟ, ନିର୍ଦ୍ଧାରିତ କାର୍ୟ୍ୟପଦ୍ଧତିର ଅନୁପାଳନ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବ୍ୟବହାର ଉପରେ ସଂସ୍ଥା ଗୁରୁତ୍ଵାରୋପ କରୁଥିବାବେଳେ ନିୟମିତ ପ୍ରଶିକ୍ଷଣ ଓ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ମାଧ୍ୟମରେ କର୍ମଚାରୀଙ୍କ ସୁରକ୍ଷା ଏବଂ ବିଦ୍ୟୁତ୍ ସେବାର ନିରନ୍ତରତା ବଜାୟ ରଖିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଅବସରରେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ସୁରକ୍ଷା ଆମ ପାଇଁ ସର୍ବୋପରି। ଏହି ସ୍ୱୀକୃତି, ସୁରକ୍ଷିତ କାର୍ୟ୍ୟପନ୍ଥାର ନିରନ୍ତର ଉନ୍ନତି ସହ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି କର୍ମଚାରୀ ଓ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆମ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।”କର୍ମଚାରୀଙ୍କ ସୁରକ୍ଷା ସହ ସାଧାରଣ ଲୋକଙ୍କ ମଧ୍ୟରେ ବିଦ୍ୟୁତ୍ଜନିତ ବିପଦ ସମ୍ପର୍କରେ ସଚେତନତା ବଢ଼ାଇବାକୁ ଟିପିଏନ୍ଓଡିଏଲ୍ ବିଭିନ୍ନ ଜନସଚେତନତା କାର୍ୟ୍ୟକ୍ରମ ହାତକୁ ନେଇଛି। ଦୁର୍ଘଟଣା ଏଡ଼ାଇବା ପାଇଁ ବିଦ୍ୟୁତ୍ଜନିତ ବିପଦ ଓ ଅସୁରକ୍ଷିତ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଗ୍ରାହକ ସେବା ନମ୍ବର ୧୮୦୦ ୩୪୫୬ ୭୧୮ କିମ୍ବା ୧୯୧୨ରେ ଜଣାଇବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.