ନୂଆଦିଲ୍ଲୀ: ଇସ୍ରାଏଲର ୨୬ତମ ପାର୍ଲାମେଣ୍ଟ ପାଇଁ ଭୋଟଗ୍ରହଣ ଜାରି ରହିଛି। ଅକ୍ଟୋବର ୭, ୨୦୨୩ ହମାସ ଆକ୍ରମଣ ଓ ଗାଜା ଯୁଦ୍ଧ ପରେ ଏହା ପ୍ରଥମ ସାଧାରଣ ନିର୍ବାଚନ ହୋଇଥିବାରୁ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ଷମତାକୁ ଫେରିବେ ନା ବିରୋଧୀ ଦଳ ନେତା ବାଜି ମାରିବେ, ତାହାକୁ ନେଇ ଭାରତ ମଧ୍ୟ କୂଟନୈତିକ ସ୍ତରରେ ତୀକ୍ଷ୍ଣ ନଜର ରଖିଛି।
ପ୍ରାକ୍-ନିର୍ବାଚନ ସର୍ଭେ ଅନୁଯାୟୀ, ୧୨୦ ଆସନବିଶିଷ୍ଟ କନେସେଟ୍ରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୬୧ଟି ଆସନ ବହୁମତ ସହ ମିଳିବା କଷ୍ଟକର। ଏହାସହ ଏକ ଝୁଲା ପାର୍ଲାମେଣ୍ଟ ହେବାର ସମ୍ଭାବନା ଦେଖାଦେଇଛି।
ଭାରତ-ଇସ୍ରାଏଲ ସମ୍ପର୍କ ଉପରେ ପ୍ରଭାବ: ନେତାନ୍ୟାହୁ କ୍ଷମତାକୁ ଫେରନ୍ତୁ କିମ୍ବା ନୂଆ ନେତୃତ୍ୱ ଆସନ୍ତୁ, ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଆତଙ୍କବାଦ ନିରୋଧୀ ସହଯୋଗ ଜାରି ରହିବ ବୋଲି ସୂଚନା ମିଳିଛି। ଇସ୍ରାଏଲରେ ନେତୃତ୍ୱ ପରିବର୍ତ୍ତନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂଆ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କରେ ନୂଆ ଦିଗ ଯୋଡ଼ିହୋଇପାରେ, କିନ୍ତୁ ଦୁଇ ଦେଶ ମଧ୍ୟରେ ଥିବା ରଣନୀତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ଅପରିବର୍ତ୍ତିତ ରହିବ।
ଗାଜା ଏବଂ ଲେବାନନରେ ଚାଲିଥିବା ଦୀର୍ଘକାଳୀନ ଯୁଦ୍ଧ ଯୋଗୁଁ ଇସ୍ରାଏଲର ଅର୍ଥନୀତି ଏବଂ ଆଭ୍ୟନ୍ତରୀଣ ରାଜନୈତିକ ସ୍ଥିତି ଗଭୀର ଭାବେ ପ୍ରଭାବିତ ହୋଇଛି। ନେତାନ୍ୟାହୁଙ୍କ ସରକାରଙ୍କ ଆକ୍ରମଣାତ୍ମକ ନୀତିକୁ ନେଇ ଦେଶ ଭିତରେ ମଧ୍ୟ ଭିନ୍ନମତ ଦେଖିବାକୁ ମିଳିଛି। ଯଦି ନେତାନ୍ୟାହୁ ପରାଜିତ ହୁଅନ୍ତି, ତେବେ ପଶ୍ଚିମ ଏସିଆର କୂଟନୈତିକ ସମୀକରଣ ବଦଳିପାରେ। ଅନ୍ୟପକ୍ଷରେ, ଭାରତ ପାଇଁ ଉଭୟ ନେତୃତ୍ୱ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ-ଇସ୍ରାଏଲ ମଧ୍ୟରେ ସାମରିକ ଓ ବାଣିଜ୍ୟିକ ସହଯୋଗ ଦଶନ୍ଧି ଧରି ଅତ୍ୟନ୍ତ ମଜବୁତ ରହିଆସିଛି।

