Animal Experiment Rules: ଲାବ୍ରେ ପଶୁଙ୍କ ଉପରେ ନିର୍ଯାତନା ବଢ଼ିବା ଆଶଙ୍କା! ନିୟମ ବଦଳାଇବାକୁ ଚାହୁଁଛି କେନ୍ଦ୍ର, PETA ଇଣ୍ଡିଆର ତୀବ୍ର ବିରୋଧ
ନୂଆଦିଲ୍ଲୀ: ନିଜ ସ୍ୱାର୍ଥ ପାଇଁ ନିରୀହ ପଶୁଙ୍କ ଉପରେ ପରୀକ୍ଷା କରିବା ଆହୁରି ସହଜ ହୋଇଯିବ କି? ପଶୁଙ୍କ ସୁରକ୍ଷା ପାଇଁ ଥିବା ନିୟମ କୋହଳ ହେଲେ ବଢ଼ିବ କି ନିର୍ଯାତନା? ଏଭଳି ପ୍ରଶ୍ନ ଉଠାଇଛି ପଶୁ ଅଧିକାର ସଂଗଠନ PETA ଇଣ୍ଡିଆ। ପଶୁଙ୍କ ଉପରେ ପରୀକ୍ଷା ସମ୍ପର୍କିତ ନିୟମରେ ସଂଶୋଧନ ଆଣିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସଂଗଠନ ବିରୋଧ କରିଛି। ଏହି ପରିବର୍ତ୍ତନ ଲାଗୁ ହେଲେ ପଶୁଙ୍କ ଉପରେ ଅତ୍ୟାଚାର ବଢ଼ିବା ସହ ବନ୍ୟଜନ୍ତୁ ଓ ବୁଲା ପଶୁଙ୍କ ସୁରକ୍ଷା ବିପଦରେ ପଡ଼ିପାରେ ବୋଲି PETA ଆଶଙ୍କା ପ୍ରକାଶ କରିଛି। କେନ୍ଦ୍ର ସରକାର ପଶୁଙ୍କ ଉପରେ ପରୀକ୍ଷା ସମ୍ପର୍କିତ ନିୟମ ବଦଳାଇବା ପାଇଁ ଏକ ଚିଠା ସଂଶୋଧନ ପ୍ରକାଶ କରିଛନ୍ତି। ଏହା ଏବେ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି। ସରକାର ଏହାକୁ ଏପର୍ଯ୍ୟନ୍ତ ଲାଗୁ କରିନାହାନ୍ତି। ଏହି ଚିଠା ଉପରେ ଜନସାଧାରଣ ନିଜର ମତାମତ, ପରାମର୍ଶ ଓ ଆପତ୍ତି ନଭେମ୍ବର ୫ ତାରିଖ ସୁଦ୍ଧା ଦାଖଲ କରିପାରିବେ।
ବର୍ତ୍ତମାନ ପଶୁଙ୍କ ଉପରେ ପରୀକ୍ଷା କରିବା ପାଇଁ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ। କିନ୍ତୁ ପ୍ରସ୍ତାବିତ ନିୟମ ଅନୁସାରେ, କେବଳ ଯେଉଁ ପରୀକ୍ଷାରେ ପଶୁଙ୍କୁ ଅସହ୍ୟ ଯନ୍ତ୍ରଣା ହେବା କିମ୍ବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିବ, ସେହି କ୍ଷେତ୍ରରେ ପୂର୍ବରୁ ସରକାରୀ ଅନୁମୋଦନ ନେବାକୁ ପଡ଼ିବ।
ଏଠାରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, କୌଣସି ପରୀକ୍ଷାରେ ପଶୁଙ୍କୁ ଅସହ୍ୟ ଯନ୍ତ୍ରଣା ହେବ କିମ୍ବା ଜୀବନ ପ୍ରତି ବିପଦ ରହିବ କି ନାହିଁ, ତାହା ସମ୍ପୃକ୍ତ ପରୀକ୍ଷା କରୁଥିବା କମ୍ପାନୀର ବିଶେଷଜ୍ଞ କମିଟି ନିର୍ଣ୍ଣୟ କରିବ ବୋଲି ଚିଠାରେ ପ୍ରସ୍ତାବ ରହିଛି। ଏହା ଦ୍ୱାରା ସ୍ୱାଧୀନ ତଦାରଖ ଦୁର୍ବଳ ହେବା ଏବଂ ପଶୁଙ୍କ ସୁରକ୍ଷାକୁ ଅଣଦେଖା କରାଯିବାର ଆଶଙ୍କା ପ୍ରକାଶ କରିଛନ୍ତି ପଶୁ ଅଧିକାର କର୍ମୀ। ଚିଠାରେ ବନ୍ୟଜନ୍ତୁ, ବୁଲା କୁକୁର, ବିଲେଇ ଓ ଅନ୍ୟ ପଶୁଙ୍କ ଉପରେ ପରୀକ୍ଷା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ରହିଛି। ସମାଲୋଚକଙ୍କ ଆଶଙ୍କା, ନିୟମରେ ପରିବର୍ତ୍ତନ ହେଲେ ପରୀକ୍ଷା ପାଇଁ ବନ୍ୟଜନ୍ତୁ ଓ ବୁଲା ପଶୁଙ୍କୁ ଧରି ଆଣିବା ଆହୁରି ସହଜ ହୋଇପାରେ।
କାହିଁକି ବିରୋଧ କରୁଛି PETA ଇଣ୍ଡିଆ? ତେବେ PETA ଇଣ୍ଡିଆ କହିଛି, ବିଶ୍ୱର ଅନେକ ଦେଶ ପଶୁଙ୍କ ଉପରେ ପରୀକ୍ଷା କମାଇବା କିମ୍ବା ଏହାର ବିକଳ୍ପ ବ୍ୟବହାର କରିବା ଦିଗରେ ଆଗକୁ ବଢ଼ୁଛନ୍ତି। ଏଭଳି ସମୟରେ ଭାରତରେ ନିୟମ କୋହଳ କରିବା ଦ୍ୱାରା ପରୀକ୍ଷାଗାରରେ ପଶୁଙ୍କ ବ୍ୟବହାର ବଢ଼ିପାରେ ଏବଂ ସେମାନଙ୍କ ଯନ୍ତ୍ରଣା ଅଧିକ ହୋଇପାରେ। ସଂଗଠନର ମତରେ, ବର୍ତ୍ତମାନର ନିୟମ ମଧ୍ୟ ପଶୁଙ୍କ ସୁରକ୍ଷା ପାଇଁ ଯଥେଷ୍ଟ କଠୋର ନୁହେଁ। ନୂଆ ପ୍ରସ୍ତାବ ସେମାନଙ୍କ ସୁରକ୍ଷାକୁ ଆହୁରି ଦୁର୍ବଳ କରିପାରେ। ପରୀକ୍ଷା ସମୟରେ ଅସହ୍ୟ ଯନ୍ତ୍ରଣା ଓ ମାନସିକ ଚାପ ସୃଷ୍ଟି ହେବା ସହ ପଶୁଙ୍କୁ ତାଲିମ ଦେବା କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ ବୋଲି PETA ଆଶଙ୍କା କରିଛି।
ଭାରତରେ ବର୍ତ୍ତମାନ ପଶୁଙ୍କ ଉପରେ ପ୍ରସାଧନ ସାମଗ୍ରୀ ପରୀକ୍ଷା ନିଷିଦ୍ଧ ରହିଛି। କିନ୍ତୁ ପ୍ରସ୍ତାବିତ ସଂଶୋଧନ ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଏଭଳି ପରୀକ୍ଷା ପାଇଁ ରାସ୍ତା ଖୋଲିପାରେ ବୋଲି ପଶୁ ଅଧିକାର କର୍ମୀମାନେ ଆଶଙ୍କା କରୁଛନ୍ତି।
ପଶୁ ଅଧିକାର କର୍ମୀ ମେନକା ଗାନ୍ଧୀ ମଧ୍ୟ ଏହି ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନେକ ଦେଶ ଯେତେବେଳେ ପଶୁଙ୍କ ଉପରେ ପରୀକ୍ଷାକୁ ସୀମିତ କରୁଛନ୍ତି କିମ୍ବା ଏଥିରୁ ଦୂରେଇ ଯାଉଛନ୍ତି, ସେତେବେଳେ ଭାରତରେ ନିୟମ କୋହଳ କରିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ପରିବର୍ତ୍ତନ ହେଲେ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପଶୁଙ୍କ ଉପରେ ପରୀକ୍ଷା କରିବା ପାଇଁ ଭାରତକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ବ୍ୟବହାର କରିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି। ସେ ଏହି ପ୍ରସ୍ତାବକୁ ଭୁଲ୍ ପଦକ୍ଷେପ ବୋଲି କହିବା ସହ ସରକାର ଏହାକୁ ପ୍ରତ୍ୟାହାର କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଅନ୍ୟ ପଶୁ ଅଧିକାର କର୍ମୀ ଅମ୍ବିକା ଶୁକ୍ଳା ମଧ୍ୟ ପରୀକ୍ଷାଗାରରେ ପଶୁଙ୍କ ବ୍ୟବହାରର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (AI) ଓ ବିଜ୍ଞାନ କ୍ଷେତ୍ରରେ ନୂଆ ଉନ୍ନତି ହେଉଥିବାରୁ ପଶୁଙ୍କୁ ବ୍ୟବହାର ନକରି ଗବେଷଣା କରିବାର ବିକଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି।
ପଶୁ ଅଧିକାର ସଂଗଠନଗୁଡ଼ିକର ଆଉ ଏକ ଚିନ୍ତା ହେଉଛି, ଯେଉଁ ଦେଶରେ ପଶୁଙ୍କ ଉପରେ ପରୀକ୍ଷା କରିବା କଷ୍ଟକର କିମ୍ବା ଅଧିକ ଖର୍ଚ୍ଚସାପେକ୍ଷ, ସେଠାକାର କମ୍ପାନୀଗୁଡ଼ିକ ନିୟମ କୋହଳ ହେଲେ ଭାରତର ପରୀକ୍ଷାଗାରକୁ ବାଛିପାରନ୍ତି। ଏହା ଦ୍ୱାରା ଅଧିକ ସଂଖ୍ୟକ ପଶୁ ପରୀକ୍ଷାର ଶିକାର ହୋଇପାରନ୍ତି ବୋଲି ସେମାନେ ଭୟ ପ୍ରକାଶ କରିଛନ୍ତି। ମୂଷା, ଠେକୁଆ, ମାଙ୍କଡ଼ ଓ କୁକୁର ଭଳି ପଶୁଙ୍କୁ ପରୀକ୍ଷାଗାରରେ ରଖି ବିଭିନ୍ନ ପରୀକ୍ଷା କରାଯାଏ। ପଶୁମାନେ ଯନ୍ତ୍ରଣା ଓ ଭୟ ଅନୁଭବ କରିପାରୁଥିଲେ ମଧ୍ୟ ନିଜର ଅସୁବିଧା କଥା ମଣିଷଙ୍କ ପରି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ। ସେମାନଙ୍କ ସମ୍ମତି ନେବା ମଧ୍ୟ ସମ୍ଭବ ନୁହେଁ। ତେଣୁ ପଶୁଙ୍କ ଉପରେ ଯନ୍ତ୍ରଣାଦାୟକ ପରୀକ୍ଷାକୁ କମାଇବା ଏବଂ ପଶୁଙ୍କ ବଦଳରେ ବିକଳ୍ପ ପଦ୍ଧତି ଆପଣାଇବାକୁ ଦାବି ହେଉଛି।
ଏବେ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ଚିଠା ନିୟମ ଉପରେ ନଭେମ୍ବର ୫ ତାରିଖ ସୁଦ୍ଧା ସାଧାରଣ ଲୋକ ନିଜର ଆପତ୍ତି ଓ ପରାମର୍ଶ ଦାଖଲ କରିପାରିବେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ଲୋକଙ୍କୁ ମତାମତ ଦାଖଲ କରିବାକୁ PETA ଇଣ୍ଡିଆ ଆହ୍ୱାନ ଦେଇଛି। ସରକାର ଏହି ଆପତ୍ତିଗୁଡ଼ିକୁ ବିଚାର କରିବା ପରେ ଚିଠା ନିୟମ ଉପରେ ନିଷ୍ପତ୍ତି ନେବେ।

