Latest Odisha News

BREAKING NEWS

ଗୋପାଳପୁର ଠାରୁ ୩୮୦ କିମି. ଦୂରରେ ବାତ୍ୟା ‘ଅର୍ଣ୍ଣବ’, ଘଣ୍ଟା ପ୍ରତି ଏତିକି ବେଗରେ ମାଡ଼ି ଆସୁଛି…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଉପକୂଳ ନିକଟତର ହେଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି।

ଆଇଏମ୍‌ଡି ବୁଲେଟିନ୍ ଅନୁଯାୟୀ, ଗତ ଛଅ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ଭାରତୀୟ ମାନକ ସମୟ (IST) ଅନୁଯାୟୀ ଭୋର ୦୨:୩୦ ସମୟରେ ଏହା ୧୫.୯° ଉତ୍ତର ଅକ୍ଷାଂଶ ଏବଂ ୮୫.୪° ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ବର୍ତ୍ତମାନ ଏହି ବାତ୍ୟା ଗୋପାଳପୁର (ଓଡ଼ିଶା) ଠାରୁ ଦକ୍ଷିଣ ଦିଗରେ ୩୮୦ କିମି, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୦୦ କିମି, କାକିନାଡ଼ା (ଆନ୍ଧ୍ରପ୍ରଦେଶ) ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୬୦ କିମି, ମଛଲିପାଟଣମ୍ ଠାରୁ ପୂର୍ବ ଦିଗରେ ୪୬୦ କିମି, ବାପଟଲା ଠାରୁ ପୂର୍ବ ଦିଗରେ ୫୩୦ କିମି ଏବଂ ଶ୍ରୀ ବିଜୟ ପୁରମ୍ ଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ୯୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି।

ଆଇଏମ୍‌ଡି ପକ୍ଷରୁ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ବାତ୍ୟା ଅକ୍ଟୋବର ୨୭ ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ଜାରି ରଖିବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର ୨୮, ୨୦୨୬ ପୂର୍ବାହ୍ନ ସୁଦ୍ଧା ବାପଟଲା ଓ ବିଶାଖାପାଟଣା ମଧ୍ୟରେ (ୟାନାମ୍ ନିକଟରେ) ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ଅତିକ୍ରମ କରିବ। ସେହି ସମୟରେ ଏହା ଏକ ‘ଅତି ଭୀଷଣ ବାତ୍ୟା’ ରୂପରେ ରହିବ। ଯେଉଁଥିରେ ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କିଲୋମିଟର ରହିପାରେ ଏବଂ ଝଡ଼ବେଗରେ ପବନ ଘଣ୍ଟା ପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଯଦିଓ ବାତ୍ୟାଟି ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।ତଥାପି ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ହେବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.