Latest Odisha News

BREAKING NEWS

Rahul Gandhi’s Post: ସୁପ୍ରିମକୋର୍ଟରେ SIR ଶୁଣାଣି ପୂର୍ବରୁ ରାହୁଲଙ୍କ ବଡ ସଙ୍କେତ…ପୋଷ୍ଟ କଲେ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’, ନିର୍ବାଚନ ଆୟୋଗକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ସହ ଚାଲିଥିବା ବିବାଦ ଭିତରେ ଏବେ ଭଗବାନ ଶିବଙ୍କୁ ନେଇ ଏକ ପୋଷ୍ଟ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସୁପ୍ରିମକୋର୍ଟରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ବା SIRକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଥିବାବେଳେ ରାହୁଲଙ୍କ ଏହି ପୋଷ୍ଟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ମଙ୍ଗଳବାର ରାହୁଲ ସୋସିଆଲ ମିଡିଆରେ ଭଗବାନ ଶିବଙ୍କ ପ୍ରତୀକ ଥିବା ଏକ ଛବି ସେୟାର କରିଥିଲେ। ଏଥିରେ ତିନୋଟି ଧଳା ଭସ୍ମରେଖା ଓ ଗୋଟିଏ ଲାଲ ରେଖା ଦେଖିବାକୁ ମିଳିଥିଲା। ଏହା ସହ ସେ ସଂସ୍କୃତ ବାକ୍ୟ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ ଲେଖିଥିଲେ। ତେବେ ଏହି ପୋଷ୍ଟର ଉଦ୍ଦେଶ୍ୟ ନେଇ ସେ କୌଣସି ସ୍ପଷ୍ଟ ବ୍ୟାଖ୍ୟା ଦେଇନାହାନ୍ତି।

ରାହୁଲଙ୍କ ଏହି ପୋଷ୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ SIR ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଦାଖଲ ହୋଇଛି। ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାମାନେ ଏହି ପ୍ରକ୍ରିୟାକୁ ନେଇ ଆଇନଗତ ପ୍ରଶ୍ନ ଉଠାଇଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଭୋଟର ତାଲିକା ସଂଶୋଧନ ସମୟରେ ନିର୍ବାଚନ ଆୟୋଗ ନିଜର ସାମୂହିକ କ୍ଷମତାକୁ ଏକପାଖିଆ ଓ ମନମୁଖୀ ଭାବେ ବ୍ୟବହାର କରିଛି। ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ ପରିବର୍ତ୍ତନ, ନିର୍ବାଚନୀ ତଥ୍ୟଭଣ୍ଡାରର କାର୍ଯ୍ୟପ୍ରଣାଳୀ ଏବଂ ପର୍ଯ୍ୟାପ୍ତ ନୋଟିସ୍‌ ନଦେଇ ଭୋଟରଙ୍କ ନାମ ବାଦ୍‌ ପଡ଼ିବା ଭଳି ପ୍ରସଙ୍ଗ ମଧ୍ୟ ଉଠାଯାଇଛି।

ଅନ୍ୟପଟେ, ନିର୍ବାଚନ ଆୟୋଗ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଆୟୋଗ କୋର୍ଟରେ କହିଥିଲା ଯେ SIR ସମ୍ପର୍କିତ ତିନୋଟି ନିଷ୍ପତ୍ତି ଆୟୋଗର ସମସ୍ତ ତିନିଜଣ ସଦସ୍ୟଙ୍କ ସହମତିରେ ନିଆଯାଇଥିଲା। ଅର୍ଥାତ୍‌, ମୁଖ୍ୟ ନିର୍ବାଚନ ଆୟୁକ୍ତ ଏକାକୀ ନିଷ୍ପତ୍ତି ନେଇନଥିଲେ ବୋଲି ଆୟୋଗର ଯୁକ୍ତି। ଅକ୍ଟୋବର ୧୧ରେ ରାହୁଲ ଗାନ୍ଧୀ SIR ଓ କଥିତ ‘ଭୋଟ୍ ଚୋରି’ ବିରୋଧରେ ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବାକୁ ଆହ୍ୱାନ ଦେଇଥିଲେ। ବିରୋଧୀ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କୁ ଏଥିରେ ସାମିଲ ହେବାକୁ କହିବା ସହ ପ୍ରଧାନ ବିଚାରପତିଙ୍କୁ ସ୍ମାରକପତ୍ର ଦେବା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରିଥିଲେ। ଏହି ଆନ୍ଦୋଳନକୁ ସେ ଭଗବାନ ଶିବଙ୍କ ‘ତାଣ୍ଡବ’ ସହ ତୁଳନା କରିଥିଲେ।

ଏବେ ସୁପ୍ରିମକୋର୍ଟର ଶୁଣାଣି ଉପରେ ନଜର ରହିଛି। SIR ପ୍ରକ୍ରିୟା, ନିର୍ବାଚନ ଆୟୋଗର ନିଷ୍ପତ୍ତି ନେବା ପଦ୍ଧତି ଏବଂ ଭୋଟରଙ୍କ ଅଧିକାରର ସୁରକ୍ଷା ନେଇ ଉଠିଥିବା ପ୍ରଶ୍ନଗୁଡ଼ିକ ଉପରେ କୋର୍ଟର କେଉଁ ରାୟ ଶୁଣାଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।

Leave A Reply

Your email address will not be published.