Latest Odisha News

BREAKING NEWS

E-20 ଅପପ୍ରଚାର ପେଡ୍‌ କ୍ୟାମ୍ପେନ୍‌ ଥିଲା କହିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ E-20 (୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ) ବିରୋଧରେ ହେଉଥିବା ସମାଲୋଚନା ଓ ବିରୋଧକୁ ଏକ ‘ପେଡ୍ କ୍ୟାମ୍ପେନ୍’ ବା ପ୍ରୟୋଜିତ ଅପପ୍ରଚାର ବୋଲି କହିଛନ୍ତି। ୨୦୨୬ ଅକ୍ଟୋବର ୨୭ ରେ ଇଣ୍ଡଷ୍ଟ୍ରି ବଡି ସିଆଇଆଇ (CII) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ସରକାର କାଲି E-100 ନେଇ ନୋଟିଫିକେସନ୍‌ କରିବା ପରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ନିତିନ ଗଡ଼କରୀ କହିଛନ୍ତି ଯେ ପ୍ରାୟ ତିନି ମାସ ପୂର୍ବରୁ E20 ଇନ୍ଧନକୁ ନେଇ ଦେଶରେ ପ୍ରବଳ ହଟଚମଟ ସୃଷ୍ଟି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେହି ଆକ୍ରୋଶ ସମ୍ପୂର୍ଣ୍ଣ ଶାନ୍ତ ପଡ଼ିଯାଇଛି। E-20କୁ ନେଇ ବିରୋଧୀଙ୍କ ସ୍ବର ଶୁଣିବାକୁ ମିଳୁନି। ଏହା କେବଳ କିଛି ନିର୍ଦ୍ଦିଷ୍ଟ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଏକ ପେଡ୍ କ୍ୟାମ୍ପେନ୍ ଥିଲା। ଏହି ଇନ୍ଧନ ଦ୍ୱାରା ଗାଡ଼ି ନଷ୍ଟ ହେବା ନେଇ ହେଉଥିବା ଦାବିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ E20 ଇନ୍ଧନ ମାଇଲେଜ୍ ବଢ଼ାଇଥାଏ, ଏହା ଦ୍ୱାରା ଗାଡ଼ିର କୌଣସି କ୍ଷତି ହୁଏନାହିଁ ଏବଂ ଏହା ଦେଶର ଚାଷୀମାନଙ୍କୁ ଆର୍ଥିକ ଭାବେ ସହାୟତା କରେ। ଆମେ ଆଗକୁ ଯେତେ ଅଧିକରୁ ଅଧିକ ଇଥାନଲ ବ୍ୟବହାର କରିବୁ, ପେଟ୍ରୋଲ ଆମଦାନୀ ନିର୍ଭରଶୀଳତା ସେତେ ମାତ୍ରାରେ କମିବ।

ସରକାର କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ରେ ସଂଶୋଧନ କରି ଫ୍ଲେକ୍ସ-ଫ୍ୟୁଏଲ୍ ଯାନଗୁଡ଼ିକୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ (E100) ମିଶ୍ରଣରେ ଚାଲିବା ପାଇଁ ଅନୁମତି ଦେଇଛନ୍ତି। ଇଥାନଲ୍ ମିଶ୍ରଣ ଦ୍ୱାରା ଭାରତ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ଦେଶର କୋଟି କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରିପାରିବ। ଦେଶରେ E20 ଇନ୍ଧନ ଲାଗୁ ହେବା ପରେ ଗାଡ଼ିର ଇଞ୍ଜିନ ଓ କାର୍ଯ୍ୟଦକ୍ଷତାକୁ ନେଇ କିଛି ଗ୍ରାହକ ଏବଂ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ ପ୍ରଶ୍ନ ଉଠାଇଥିଲେ, ଯାହାକୁ କେନ୍ଦ୍ର ମନ୍ତ୍ରୀ ଏକ ମିଥ୍ୟା ଓ ପ୍ରୟୋଜିତ ଅପପ୍ରଚାର ବୋଲି ଦର୍ଶାଇଛନ୍ତି।

Leave A Reply

Your email address will not be published.