ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଏବଂ ପ୍ରଭାବିତ ଚାଷୀଙ୍କ କ୍ଷତିପୂରଣ ସମ୍ପର୍କରେ ରାଜ୍ଯ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଫସଲ ଓ ବିଭିନ୍ନ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ବାତ୍ୟାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ିବା ସହ ରାସ୍ତା ଓ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ତେବେ ଅଧିକାଂଶ ସ୍ଥାନରେ ରାସ୍ତା ସଫା କରାଯିବା ସହ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଏଯାଏଁ କୌଣସି ଜୀବନହାନି ହୋଇନଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଆଜି ସନ୍ଧ୍ୟାରେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ରହିବା ସହ ମାଲକାନଗିରିରେ ପହଞ୍ଚିବା ସମ୍ଭାବନା ରହିଛି । ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରି ମନ୍ତ୍ରୀ କହିଛନ୍ତି, ଏଯାଏଁ ରାଜ୍ୟର କୌଣସି ସ୍ଥାନରେ ଜୀବନହାନି ହୋଇନାହିଁ । ତେଣୁ ଲୋକେ ବିଚଳିତ ନହୋଇ ସତର୍କ ରୁହନ୍ତୁ । ଫସଲ ଓ ଘର କ୍ଷୟକ୍ଷତି ହେଲେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଚାଷୀମାନେ ଚିନ୍ତିତ ନହେବାକୁ ମଧ୍ୟ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।
ସୂଚନା ଥାଉକି ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ଜାରି ରହିଛି । କିଛି ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ପ୍ରଭାବିତ ହୋଇଥିଲା । ତେବେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି । ବାତ୍ୟା ପାଇଁ ପ୍ରାୟ ୫୦ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ୩୩ କେଭି ବିଦ୍ୟୁତ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି । ତେବେ ଶକ୍ତି ବିଭାଗର କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ୬୫ ପ୍ରତିଶତ ସ୍ଥାନରେ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର ହୋଇସାରିଥିବା କହିଛନ୍ତି ମନ୍ତ୍ରୀ ।

