Latest Odisha News

BREAKING NEWS

IAS-IPS ଦମ୍ପତିଙ୍କ କୋଟି କୋଟିର ଖେଳ! ୬.୧୬ କୋଟିରେ ୪୦ ଭିଲ୍ଲା, ଭଡ଼ାରୁ ବର୍ଷକୁ ୧.୮ କୋଟି!

ନୂଆଦିଲ୍ଲୀ: ସରକାରୀ ପଦବୀରେ ସ୍ୱାମୀ IAS, ସ୍ତ୍ରୀ IPS। ଆଉ ସମ୍ପତ୍ତି ତାଲିକାରେ ୪୦ଟି ଭିଲ୍ଲା ଓ କଟେଜ୍‌! ମାତ୍ର ଅଢ଼େଇ ବର୍ଷ ଭିତରେ ୬ କୋଟି ୧୬ ଲକ୍ଷ ଟଙ୍କାରେ କିଣିଲେ ୪୦ଟି ଲକ୍‌ଜୁରୀ ପ୍ରପର୍ଟି। କିନ୍ତୁ କାହାଣୀ ଏତିକିରେ ସରିନାହିଁ। ଯେଉଁ କମ୍ପାନୀଠାରୁ ଏହି ସମ୍ପତ୍ତି କିଣିଥିଲେ, ପୁଣି ସେହି କମ୍ପାନୀକୁ ଭଡ଼ାରେ ଦେଇଦେଲେ। ଆଉ ଏଥିରୁ ବର୍ଷକୁ ଆୟ ହେବାକୁ ଥିଲା ୧ କୋଟି ୮୦ ଲକ୍ଷ ଟଙ୍କା। ଏବେ ଏହି କାରବାରକୁ ନେଇ ଦୁର୍ନୀତି ଗନ୍ଧ ବାରିଛି ତଦନ୍ତ ଟିମ୍ । ତଦନ୍ତ ଘେରରେ ରାଜସ୍ଥାନର IAS-IPS ଦମ୍ପତି।

ଏହି ଦମ୍ପତି ହେଉଛନ୍ତି IAS ଅଧିକାରୀ ଶିଖର ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ବରିଷ୍ଠ IPS ଅଧିକାରୀ ପ୍ରଶାଖା ମାଥୁର। ଶିଖର ଅଗ୍ରୱାଲ ପୂର୍ବରୁ ରାଜସ୍ଥାନ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ। ଉଭୟଙ୍କୁ ରାଜ୍ୟ ସରକାର ଏବେ ଆଓ୍ବେଟିଙ୍ଗ୍ ପୋଷ୍ଟିଙ୍ଗ୍ ଅର୍ଡର ବା APOରେ ରଖିଛନ୍ତି। ଅର୍ଥାତ୍ ଏବେ ସେମାନଙ୍କୁ କୌଣସି ନୂଆ ପୋଷ୍ଟିଂ ଦିଆଯାଇନାହିଁ। ରାଜସ୍ଥାନର ଦୁର୍ନୀତି ନିରୋଧୀ ବ୍ୟୁରୋ ବା ACB ଏହି ମାମଲାର ତଦନ୍ତ କରୁଛି। ଅକ୍ଟୋବର ୩୦ରେ ACB ଜାରି କରିଥିବା ବିବୃତି ଅନୁସାରେ, ପ୍ରାଥମିକ ତଦନ୍ତରେ ଶିଖର ଅଗ୍ରୱାଲ ଏବଂ ଅନନ୍ତା ରିସର୍ଟ ପରିଚାଳନା କରୁଥିବା Goyal Fashions Private Limitedର ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମିଳିଭଗତ ଥିବା ନେଇ ପ୍ରାଥମିକ ପ୍ରମାଣ ମିଳିଥିବା ଦାବି କରାଯାଇଛି। ଅଧିକାରୀ ନିଜ ପଦବୀର ଅପବ୍ୟବହାର କରି କମ୍ପାନୀକୁ ଅନୁଚିତ ଫାଇଦା ଦେଇଥିବା ଏବଂ ଏହାଦ୍ୱାରା ସରକାରଙ୍କ ରାଜକୋଷର କ୍ଷତି ହୋଇଥିବା ଅଭିଯୋଗ ରହିଛି।

ଅଗ୍ରୱାଲ ଉଦୟପୁର ଜିଲ୍ଲାପାଳ, ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ସମୟରେ କମ୍ପାନୀକୁ ବିଶେଷ ସୁବିଧା ମିଳିଥିବା ଅଭିଯୋଗ ହୋଇଛି। ରିସର୍ଟ ନିର୍ମାଣ ସମ୍ପର୍କିତ ନିୟମରେ ରିହାତି, ଆବଶ୍ୟକ ସାର୍ଟିଫିକେଟ୍‌ର ଠିକ୍ ଯାଞ୍ଚ ନକରି ଅନୁମତି ଏବଂ ଅନୁକୂଳ ସର୍ତ୍ତରେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦିଆଯାଇଥିବା ନେଇ ACB ଅଭିଯୋଗ ଉଠାଇଛି। ଏହି ଅଭିଯୋଗର ବିସ୍ତୃତ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ଧାରା ୧୭A ଅନୁସାରେ ଅନୁମତି ଦେଇଛନ୍ତି। ଏଥିରେ ଅଧିକାରୀ, କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ଯାଞ୍ଚ ହେବ।

ତେବେ ୪୦ଟି ଭିଲ୍ଲା ଓ କଟେଜ୍ କିଣାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆହୁରି ଚର୍ଚ୍ଚା ବଢ଼ାଇଛି। ୨୦୨୩ ସେପ୍ଟେମ୍ବରରେ ଅଗ୍ରୱାଲଙ୍କ ପରିବାର ଉଦୟପୁରର ବୁଝଡ଼ାସ୍ଥିତ ଅନନ୍ତା ରିସର୍ଟରୁ ୨୦ଟି କଟେଜ୍ କିଣିଥିଲେ। ପରେ ୨୦୨୬ ମାର୍ଚ୍ଚରେ ଅଲୱାରର ଅଜବଗଡ଼ସ୍ଥିତ ଅନନ୍ତା ରିସର୍ଟରୁ ଆଉ ୨୦ଟି ଭିଲ୍ଲା କିଣାଯାଇଥିଲା। ଏହି ୪୦ଟି ସମ୍ପତ୍ତି ପାଇଁ ମୋଟ ୬ କୋଟି ୧୬ ଲକ୍ଷ ଟଙ୍କା ଦିଆଯାଇଥିଲା। ACBର ପ୍ରାଥମିକ ତଦନ୍ତ ଅନୁସାରେ, କିଛି ଭିଲ୍ଲା ବଜାର ଦରଠାରୁ ଯଥେଷ୍ଟ କମ୍ ମୂଲ୍ୟରେ କିଣାଯାଇଥିବା ସନ୍ଦେହ ରହିଛି। ଉଦୟପୁର ରିସର୍ଟରେ ଶିଖର ଅଗ୍ରୱାଲ ଓ ପ୍ରଶାଖା ମାଥୁର ୧୦ଟି ଲେଖାଏଁ ଭିଲ୍ଲା କିଣିଥିଲେ। ପ୍ରତ୍ୟେକ ଭିଲ୍ଲାର ମୂଲ୍ୟ ଥିଲା ୧୫ ଲକ୍ଷ ଟଙ୍କା। ଅଲୱାରରେ ଉଭୟଙ୍କ ନାଁରେ ୮ଟି ଭିଲ୍ଲା ୧୬ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମୂଲ୍ୟରେ ପଞ୍ଜୀକୃତ ହୋଇଥିଲା। ସେମାନଙ୍କ ଦୁଇ ପୁଅଙ୍କ ନାଁରେ ମଧ୍ୟ ୪ଟି ଲେଖାଏଁ ଭିଲ୍ଲା ପ୍ରାୟ ୧୫ ଲକ୍ଷ ଟଙ୍କା ଲେଖାଏଁ ମୂଲ୍ୟରେ କିଣାଯାଇଥିଲା। ଆଉ ୪ଟି ଭିଲ୍ଲା ପ୍ରଶାଖାଙ୍କ ବାପା-ମାଆଙ୍କ ନାଁରେ ପ୍ରାୟ ୧୬ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଦରରେ ପଞ୍ଜୀକୃତ ହୋଇଥିଲା।

କିନ୍ତୁ ଏହି କାରବାରର ସବୁଠାରୁ ରୋଚକ ଦିଗ ହେଉଛି, ଯେଉଁ କମ୍ପାନୀଠାରୁ ସମ୍ପତ୍ତି କିଣାଯାଇଥିଲା, ପରେ ସେହି କମ୍ପାନୀକୁ ହିଁ ଭଡ଼ାରେ ଦିଆଯାଇଥିଲା। ଚୁକ୍ତି ଅନୁସାରେ, ଉଦୟପୁରର ପ୍ରତ୍ୟେକ କଟେଜ୍ ପାଇଁ ବର୍ଷକୁ ୪ ଲକ୍ଷ ଟଙ୍କା ଏବଂ ଅଲୱାରର ପ୍ରତ୍ୟେକ ଭିଲ୍ଲା ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଭଡ଼ା ମିଳିବାର ବ୍ୟବସ୍ଥା ଥିଲା। ଏହି ହିସାବରେ ଉଦୟପୁରରୁ ବର୍ଷକୁ ୮୦ ଲକ୍ଷ ଏବଂ ଅଲୱାରରୁ ୧ କୋଟି ଟଙ୍କା। ଅର୍ଥାତ୍ ମୋଟ ୪୦ଟି ସମ୍ପତ୍ତିରୁ ବର୍ଷକୁ ୧ କୋଟି ୮୦ ଲକ୍ଷ ଟଙ୍କା ଭଡ଼ା ଆୟ ହେବାର ଆକଳନ କରାଯାଇଥିଲା।

ଏହା ସହ ଆଉ ଏକ ସମୟକୁ ନେଇ ମଧ୍ୟ ACB ସନ୍ଦେହ ପ୍ରକାଶ କରିଛି। ୨୦୨୬ ମାର୍ଚ୍ଚ ୨୭ ତାରିଖରେ ଗୋୟାଲ୍ ଫାସନକୁ ସ୍ୱତନ୍ତ୍ର ରିହାତିମୂଳକ ଆର୍ଥିକ ପ୍ୟାକେଜ୍ ଦିଆଯାଇଥିଲା। ଆଉ ସେହି ଦିନ ହିଁ ଅଗ୍ରୱାଲଙ୍କ ପରିବାର ଅଲୱାର ରିସର୍ଟର ୨୦ଟି ଭିଲ୍ଲା ପଞ୍ଜୀକୃତ କରିଥିବା ଅଭିଯୋଗ ରହିଛି। ଏବେ ଅଧିକାରୀ ଦମ୍ପତିଙ୍କ ସମ୍ପତ୍ତି ଘୋଷଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶିଖର ଅଗ୍ରୱାଲ ୨୦୨୬ ଜାନୁଆରୀ ୭ରେ ଦାଖଲ କରିଥିବା ସମ୍ପତ୍ତି ବିବରଣୀରେ ୧୪ଟି ସମ୍ପତ୍ତି ଥିବା ଦର୍ଶାଇଥିଲେ। ଅନ୍ୟପଟେ, ତାଙ୍କ ପତ୍ନୀ ପ୍ରଶାଖା ମାଥୁର ଜାନୁଆରୀ ୮ରେ ଦାଖଲ କରିଥିବା ବିବରଣୀରେ କୌଣସି ସମ୍ପତ୍ତି ନଥିବା ଦର୍ଶାଇଥିବା ରିପୋର୍ଟରେ କୁହାଯାଇଛି।

ଏହି ୪୦ଟି ସମ୍ପତ୍ତି ସ୍ୱାମୀ, ସ୍ତ୍ରୀ, ଦୁଇ ପୁଅ ଏବଂ ପ୍ରଶାଖାଙ୍କ ବାପା-ମାଆଙ୍କ ନାଁରେ ପଞ୍ଜୀକୃତ ହୋଇଥିଲା। ଦୁଇ ପୁଅଙ୍କ ପକ୍ଷରୁ ପାୱାର ଅଫ୍ ଆଟର୍ଣ୍ଣି ଜରିଆରେ ପ୍ରଶାଖା ମାଥୁର ଏହି ପଞ୍ଜୀକରଣ କାମ କରିଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଅଧିକାରୀ ନିଜ ପଦବୀର ଅପବ୍ୟବହାର କରିଥିଲେ କି ନାହିଁ, କମ୍ପାନୀକୁ କେଉଁ ସୁବିଧା ଦିଆଯାଇଥିଲା ଏବଂ ୪୦ଟି ଭିଲ୍ଲା କିଣିବା ପାଇଁ ଟଙ୍କା କେଉଁଠୁ ଆସିଥିଲା, ଏସବୁ ଦିଗକୁ ନେଇ ଏବେ ଖୋଳତାଡ଼ କରିବ ACB।

Leave A Reply

Your email address will not be published.