King Khan Birthday: ୬୧ ବର୍ଷରେ ପାଦ ଥାପିଲେ କିଙ୍ଗ୍ ଖାନ୍! ଭାଇରାଲ ହେଉଛି ଭାଇଜାନ୍ଙ୍କ ନିଆରା ବାର୍ଥଡେ ୱିଶ୍ ଭିଡିଓ…ଫ୍ୟାନ୍ସ କହିଲେ ଏମିତି କେବଳ ସଲମାନ କରିପାରିବେ….
ମୁମ୍ବାଇ: ବଲିଉଡ୍ର ବାଦଶାହ ଶାହରୁଖ ଖାନ୍ଙ୍କ ଜନ୍ମଦିନକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ୍। ନଭେମ୍ବର ୨ରେ ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ମୁମ୍ବାଇର ତାଙ୍କ ବାସଭବନ ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଥିବା ବେଳେ ସୋସିଆଲ୍ ମିଡିଆରେ ଛୁଟିଛି ଶୁଭେଚ୍ଛାର ସୁଅ। ଏହାରି ଭିତରେ ସଲମାନ ଖାନ୍ଙ୍କ ଏକ ପୁରୁଣା ଜନ୍ମଦିନ ଶୁଭେଚ୍ଛା ପୁଣି ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଭାଇଜାନ୍ଙ୍କ ଅନ୍ଦାଜ ଥିଲା ପୂରା ଅଲଗା।
ଏହି ଭିଡିଓଟି ୨୦୧୯ ନଭେମ୍ବର ୨ ତାରିଖର। ସେତେବେଳେ ଶାହରୁଖ ତାଙ୍କ ୫୪ତମ ଜନ୍ମଦିନ ପାଳନ କରୁଥିଲେ। ଏହି ଅବସରରେ ସଲମାନ ଖାନ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଡେଜି ଶାହ, ଆୟୁଷ ଶର୍ମା ଓ ସୋହେଲ ଖାନ୍ ମିଶି ଶାହରୁଖଙ୍କ ପାଇଁ ଜନ୍ମଦିନ ଗୀତ ଗାଇଥିଲେ। ଶେଷରେ ସଲମାନ ହସି ହସି କହିଥିଲେ, “ଫୋନ୍ ତୋ ଉଠା ଲେତା ମେରା!” ଅର୍ଥାତ୍ ‘ମୋ ଫୋନ୍ଟା ତ ଉଠାଇ ଦେଇଥାନ୍ତୁ…’
ଭିଡିଓ ସହ ସଲମାନ ଲେଖିଥିଲେ, “ହାପି ବର୍ଥଡେ ଖାନ୍ ସାହେବ… ହମାରେ ଇଣ୍ଡଷ୍ଟ୍ରି କା କିଙ୍ଗ୍ ଖାନ୍।” ଏହାର ଜବାବରେ ଶାହରୁଖ ଲେଖିଥିଲେ, “ଧନ୍ୟବାଦ ଭାଇ। ଆଜି ଆପଣଙ୍କୁ ବହୁତ ମିସ୍ କଲି। ଆପଣ ମୋ ମାଆଙ୍କ ସହର ହାଇଦ୍ରାବାଦରେ ଲୋକଙ୍କୁ ଖୁସି କରୁଥିଲେ। ଭଲପାଇବା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଶୀଘ୍ର ଫେରିଆସନ୍ତୁ, ଯେମିତି ଆପଣଙ୍କଠାରୁ ଜନ୍ମଦିନର ଆଲିଙ୍ଗନ ପାଇପାରିବି।” ଦୁଇ ସୁପରଷ୍ଟାରଙ୍କ ଏହି ମଜାଳିଆ କଥାବାର୍ତ୍ତା ପ୍ରଶଂସକଙ୍କ ମନ ଜିଣିଥିଲା। ଯାହା ଆଜି ଶାହରୁଖ ୬୧ ବର୍ଷରେ ପଦାର୍ପଣ କରିଥିବା ବେଳେ, ପୁଣି ଥରେ ଚର୍ଚ୍ଚାର ଶିରୋନାମାରେ ରହିଛି । ସଲମାନଙ୍କ ଏହି ଅନ୍ଦାଜ୍ ଦେଖି, ଫ୍ୟାନ୍ସ କହିଥିଲେ ଏଭଳି କେବଳ ସଲମାନ କରିପାରିବେ ।
ତେବେ ଶାହରୁଖ ଓ ସଲମାନଙ୍କ ସମ୍ପର୍କ କେବଳ ପରଦାରେ ଏକାଠି ଅଭିନୟ କରିବାରେ ସୀମିତ ନୁହେଁ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା, ମତଭେଦ ଓ ପୁଣି ନିକଟତାର ଅନେକ ଅଧ୍ୟାୟ ରହିଛି। ୧୯୯୫ର ଫିଲ୍ମ ‘କରଣ ଅର୍ଜୁନ’ରେ ଦୁହେଁ ଭାଇ ଭାବେ ନଜର ଆସିଥିଲେ। ଏହି ଫିଲ୍ମ ଆଜି ବି ଦର୍ଶକଙ୍କ ମନରେ ରହିଛି। ଏହାପରେ ୧୯୯୮ର ‘କୁଛ୍ କୁଛ୍ ହୋତା ହୈ’ରେ ସଲମାନ ଏକ ବିଶେଷ ଭୂମିକାରେ ନଜର ଆସିଥିଲେ। ୨୦୦୨ର ‘ହମ୍ ତୁମ୍ହାରେ ହୈ ସନମ୍’ରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ପରସ୍ପରଙ୍କ ଫିଲ୍ମରେ ଅତିଥି କଳାକାର ଭାବେ ମଧ୍ୟ ଦେଖାଦେଇଛନ୍ତି। ଶାହରୁଖଙ୍କ ‘ଟ୍ୟୁବ୍ଲାଇଟ୍’ରେ ସଲମାନ ଅତିଥି ଭୂମିକାରେ ଥିବା ବେଳେ, ସଲମାନଙ୍କ ‘ଟାଇଗର ୩’ରେ ଶାହରୁଖଙ୍କ ବିଶେଷ ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଥିଲା। ‘ପଠାନ୍’ରେ ମଧ୍ୟ ସଲମାନଙ୍କ ଟାଇଗର ଚରିତ୍ରର ଉପସ୍ଥିତି ଚର୍ଚ୍ଚା ସାଉଁଟିଥିଲା।
ଶାହରୁଖ ଖାନ୍ଙ୍କ ଅଭିନୟ ଯାତ୍ରା ଟେଲିଭିଜନ୍ରୁ ଆରମ୍ଭ ହୋଇଥିଲା। ‘ଫୌଜି’ ଓ ‘ସର୍କସ୍’ ଭଳି ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ୧୯୯୨ରେ ‘ଦିୱାନା’ ଫିଲ୍ମରୁ ସେ ବଲିଉଡ୍ରେ ପାଦ ଥାପିଥିଲେ। ଏହାପରେ ‘ବାଜିଗର’, ‘ଡର୍’, ‘ଦିଲ୍ୱାଲେ ଦୁଲହନିଆ ଲେ ଯାଏଙ୍ଗେ’, ‘ଦିଲ୍ ତୋ ପାଗଲ୍ ହୈ’, ‘କୁଛ୍ କୁଛ୍ ହୋତା ହୈ’, ‘ଦେବଦାସ’, ‘ସ୍ୱଦେଶ’, ‘ଚକ୍ ଦେ! ଇଣ୍ଡିଆ’, ‘ମାଇଁ ନେମ୍ ଇଜ୍ ଖାନ୍’, ‘ଚେନ୍ନାଇ ଏକ୍ସପ୍ରେସ୍’, ‘ପଠାନ୍’ ଓ ‘ଜୱାନ୍’ ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି।
ପ୍ରେମ କାହାଣୀଠାରୁ ଆରମ୍ଭ କରି ଆକ୍ସନ୍, ଥ୍ରିଲର୍ ଓ ଦେଶପ୍ରେମ ଆଧାରିତ ଚଳଚ୍ଚିତ୍ର, ବିଭିନ୍ନ ଚରିତ୍ରରେ ନିଜକୁ ପ୍ରମାଣିତ କରିଛନ୍ତି ଶାହରୁଖ। ଅଭିନେତା ସହ ଜଣେ ସଫଳ ନିର୍ମାତା ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି। ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ସେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ନିଜ ଛାପ ଛାଡ଼ିଛନ୍ତି।
ଏଥର ଜନ୍ମଦିନରେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’କୁ ନେଇ ମଧ୍ୟ ବଡ଼ ଚର୍ଚ୍ଚା। ଜନ୍ମଦିନ ଅବସରରେ ଏହି ଫିଲ୍ମର ପ୍ରଥମ ଗୀତ ‘ତୁ ମିଲ୍ ଜାଏ’ ରିଲିଜ୍ ହୋଇଛି। ଏଥିରେ ଦୀପିକା ପାଦୁକୋନ୍ଙ୍କ ସହ ଶାହରୁଖଙ୍କ ରୋମାଣ୍ଟିକ୍ ଓ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅରିଜିତ୍ ସିଂହ ଓ ମଧୁବନ୍ତୀ ବାଗଚୀ କଣ୍ଠଦାନ କରିଥିବା ବେଳେ ଏଡ୍ ଶିରନ୍ଙ୍କ ରାପ୍ ମଧ୍ୟ ରହିଛି। ଫିଲ୍ମଟି ଡିସେମ୍ବର ୨୪ରେ ବିଶ୍ୱବ୍ୟାପୀ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।
୧୯୯୨ରୁ ଆରମ୍ଭ ହୋଇଥିବା ଶାହରୁଖଙ୍କ ବଲିଉଡ୍ ଯାତ୍ରାକୁ ଏହାରି ଭିତରେ ୩୪ ବର୍ଷ ପୂରିଛି। ଏତେ ବର୍ଷ ପରେ ମଧ୍ୟ ତାଙ୍କ ଲୋକପ୍ରିୟତାରେ ଟିକେ ବି ଉଣା ଦେଖିବାକୁ ମିଳିନାହିଁ।
