ଆମେରିକାର ଫ୍ଲୋରିଡାରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳ ନିକଟରେ ଏକ ଘରୋଇ ବିଜନେସ ଜେଟ୍ କ୍ରାସ୍ ହୋଇଯିବା ଫଳରେ ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ‘ଲିୟରଜେଟ୍-୬୦’ ମଡେଲର ଥିଲା। ବିମାନଟି ଟେକ୍ସାସର ଓଷ୍ଟିନ୍-ବର୍ଗଷ୍ଟ୍ରୋମ୍ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରି ବାହାମାସ୍ ଆଡ଼କୁ ଯାଉଥିଲା। ମାତ୍ର ଆକାଶମାର୍ଗରେ ଖରାପ ପାଣିପାଗ, ପ୍ରବଳ ଝଡ଼ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ପାଇଲଟ୍ ‘ମେ’-ଡେ’ ଜରୁରୀକାଳୀନ ବାର୍ତ୍ତା ଦେଇଥିଲେ ମଧ୍ୟ ବିମାନଟି ଅତ୍ୟନ୍ତ ଦ୍ରୁତ ଗତିରେ ତଳକୁ ଖସିପଡ଼ିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକାଶରୁ ବିମାନଟି କୌଣସି ମିସାଇଲ୍ ଭଳି ସିଧା ତଳକୁ ଖସି ଆସି ରାସ୍ତା ନିକଟରେ ଏକ ବିରାଟ ଶଦ୍ଦ ସହ କ୍ରାସ୍ ହୋଇଥିଲା। ଧକ୍କା ହେବା ମାତ୍ରକେ ବିମାନରେ ନିଆଁ ଲାଗିଯାଇଥିଲା ଏବଂ ଚାରିଆଡ଼େ କଳା ଧୂଆଁ ଛାଇ ଯାଇଥିଲା। ସୌଭାଗ୍ୟବଶତଃ ବିମାନଟି ସିଧାସଳଖ ଘରଗୁଡ଼ିକ ଉପରେ ନପଡ଼ି ରାସ୍ତା କଡ଼ରେ ପଡ଼ିଥିବାରୁ ଜନବସତି ଅଞ୍ଚଳରେ ଏକ ବଡ଼ ଧରଣର ବିପଦ ଟଳି ଯାଇଛି।
ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳର ଯାତାୟାତ ବନ୍ଦ କରିଥିଲେ। ଆମେରିକାର ପରିବହନ ମନ୍ତ୍ରୀ ସୀନ ଡଫି ସମସ୍ତ ୯ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛନ୍ତି।
