ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପର ପ୍ରଥମ ଦିନରେ ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ । ଫାଷ୍ଟ ଡେ’ରେ ୬୮ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଥିବା ବେଳେ ୧୫ଶହ ଗାଡିର ପ୍ରବେଶ ପାଇଁ ଅନୁମତି ମିଳିନାହିଁ । ଦିଲ୍ଲୀ ବାହାରର ବିଏସ-୬ ମାନକ ପୂର୍ବରୁ ନିର୍ମିତ ଗାଡି ଉପରେ ଲାଗୁ ହୋଇଥିବା କଟକଣା ଅଧିନରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏବଂ ପରିବହନ ବିଭାଦ ଦ୍ୱାରା ୧୪ହଜାର ୯୩୦ ଟି ଗାଡି ଯାଂଚ କରାଯାଇଛି । ଏଥି ମଧ୍ୟରୁ ପ୍ରାୟ ୧୦.୩୧ ପ୍ରତିଶତ ଗାଡିକୁ ଫେରାଇ ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନିୟମ ଉଲ୍ଲଂଘନ ପାଇଁ ୫୬୬ଟି ଚାଲାଣ କଟାଯାଇଛି । ପିୟୁସିସି ନିୟମ ଉଲ୍ଲଂଘନ ପାଇଁ ୫୬.୬ ଲ କ୍ଷ ଟଙ୍କା ଜରିମାନା ଆଦାୟ ସହ ସୀମା ଦେଇ ପ୍ରବେଶ ଉପରେ କଟକଣା ଉଲ୍ଲଂଘନ ପାଇଁ ୨ ଲକ୍ଷ ଟଙ୍କା ଜରିମାନା ଓ ନିର୍ମାଣ ତଥା ଭଙ୍ଗାକାମ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ୯.୮ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଆଦାୟ ହୋଇଛି । ଦିଲ୍ଲୀ ଟ୍ରାଫିକ୍ ପୋଲିସର ପ୍ରବର୍ତ୍ତନକାରୀ ଦଳ ଗୁଡିକ ୧୨୭ଟି ଚାଲାଣ କାଟିବା ସହ ୬୨ଟି ଗାଡି ଜବତ କରିଛନ୍ତି । ସେମାନଙ୍କଠୁ ମୋଟ୍ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି ।
ଫେରାଇ ଦିଆଯାଇଥିବା ୧୪୦ଟି ଗାଡି ହାଲକା, ୫୪ଟି ବାଣିଜ୍ୟିକ, ୯୫ ଭାରି ଯାନ ଏବଂ ୩୪ଟି ବସ୍ ଅନ୍ତର୍ଭୂକ୍ତ । ଯାଂଚ ହୋଇଥିବା ୧୪୨୩ଟି ଦୁଇଚକିଆ, ତିନିଚକିଆ ଓ ଅନ୍ୟ ଯାନ ମଧ୍ୟରୁ ୭୮୯ ଗାଡି ଫେରାଯାଇଥିବା ବେଳେ ୩୮ଟି ଗାଡି ଜବତ ହୋଇଛି । ସିଏନଜି ଓ ଇଭି ଗାଡି ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଗାଡିକୁ କଟକଣା ମୁକ୍ତ କରାଯାଇଛି । ମୋଟ୍ ୭୪୦ ଯାନ ଯାଂଚ କରାଯାଇ ପ୍ରବେଶ ଅନୁମତି ଦିଆଯାଇଥିଲା । ବଡ ନିର୍ମାଣ ସ୍ଥାନ ଗୁଡିକ ପାଇଁ ବନ୍ଦ ନିର୍ଦ୍ଦେଶ ଓ ୪ଟିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସେମାନଙ୍କ ଉପରେ ୪ ଲକ୍ଷ ଟଙ୍କାର ପରିବେଶ କ୍ଷତିପୂରଣ ଲାଗୁ ହୋଇଛି । ବାୟୂ ପ୍ରଦୂଷଣ ରୋକିବାକୁ ୱିଂଟର ଆକ୍ସନ ପ୍ଲାନ୍ ଅଧିନରେ ଥିବା କଟକଣା ନଭେମ୍ବର୧ରୁ ଫେବ୍ରୁଆରୀ ୨୮ ଯାଏଁ ବଳବତ୍ତର ରହିବ ।
