Latest Odisha News

BREAKING NEWS

SRK Skips Birthday Appearance: ଲରେନ୍ସ ବିଷ୍ଣୋଇ ଧମକ ପରେ ବଲିଉଡ୍‌ରେ ଛନକା! ଜନ୍ମଦିନରେ ମନ୍ନତ ବାଲକୋନିକୁ ଆସିଲେନି କିଙ୍ଗ୍‌ ଖାନ୍‌, ଫ୍ୟାନ୍‌ଙ୍କ ପାଇଁ ଛାଡ଼ିଗଲେ ହାତଲେଖା ଚିଠି…

ମୁମ୍ବାଇ: ବର୍ଷ ବର୍ଷ ଧରି ଏହା ଥିଲା ଏକ ପରମ୍ପରା। ରାତି ୧୨ଟା ବାଜିବା ମାତ୍ରେ ମୁମ୍ବାଇର ମନ୍ନତ ବାହାରେ ଜମୁଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ଼। ଆଉ ଘରର ବାଲକୋନିକୁ ଆସି ହାତ ହଲାଇ ଫ୍ୟାନ୍‌ଙ୍କ ଭଲପାଇବାର ଜବାବ ଦେଉଥିଲେ ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌। କିନ୍ତୁ ଏଥର ସବୁକିଛି ଥିଲା ଅଲଗା। ଜନ୍ମଦିନରେ ମନ୍ନତ ବାହାରେ ଫ୍ୟାନ୍‌ଙ୍କ ଭିଡ଼ ଜମିଥିଲା, ହେଲେ ମିଳିନଥିଲା କିଙ୍ଗ୍‌ ଖାନଙ୍କ ଝଲକ। ନା ସେ ବାଲକୋନିକୁ ଆସିଥିଲେ, ନା ଫ୍ୟାନ୍‌ଙ୍କଠୁ ମିଳିଥିଲା ସାମ୍ନାସାମ୍ନି ଅଭିବାଦନ। ତେବେ କାହିଁକି ଏଥର ମନ୍ନତରୁ ଗାଏବ ରହିଲେ ଶାହରୁଖ?

ତେବେ ନିକଟରେ ଟାଇଗର ସର୍ଫଙ୍କ ଉପରେ ଆକ୍ରମଣ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଓ ସେଲିବ୍ରିଟିଙ୍କ ସୁରକ୍ଷାକୁ ନେଇ ବଲିଉଡ୍‌ରେ ଚିନ୍ତା ବଢ଼ିଥିବା ସମୟରେ ଶାହରୁଖଙ୍କ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ କ’ଣ ସୁରକ୍ଷା କାରଣରୁ ସେ ମନ୍ନତ ବାହାରକୁ ଆସିନଥିଲେ? ନା ପଛରେ ଆଉ କିଛି କାରଣ ରହିଛି, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ନଭେମ୍ବର ୨ ତାରିଖରେ ୬୧ ବର୍ଷରେ ପାଦ ଥାପିଛନ୍ତି ଶାହରୁଖ। ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମଧ୍ୟରାତ୍ରିରୁ ମନ୍ନତ ବାହାରେ ହଜାର ହଜାର ପ୍ରଶଂସକ ଏକାଠି ହୋଇଥିଲେ। କିନ୍ତୁ ଏଥର ସେ ନିଜେ ଆସି ନଥିଲେ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିନାହାନ୍ତି ବଲିଉଡର ବେତାଜ୍ ବାଦଶାହ । ନିଆରା ଅନ୍ଦାଜରେ ନିଜର ଏକ ହାତ ଲେଖା ଚିଠି ସହ, ସେ ମନ୍ନତ ବାହାରକୁ ଆସିଥିବା ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥର ଫ୍ୟାନ୍‌ଙ୍କୁ ଦେଖା କରିବା ବଦଳରେ ମନ୍ନତ ବାହାରେ ଏକ ବିଶାଳ ପ୍ରୋଜେକ୍ଟରରେ ଦେଖାଯାଇଥିଲା ଶାହରୁଖଙ୍କ ହାତଲେଖା ଚିଠି। ସେଥିରେ ସେ ଲେଖିଥିଲେ, “ଆପଣମାନଙ୍କ ଶୁଭେଚ୍ଛା ଓ ଭଲପାଇବା ପାଇଁ ଧନ୍ୟବାଦ। ମୋ ତରଫରୁ ମଧ୍ୟ ସମସ୍ତଙ୍କୁ ଅନେକ ଭଲପାଇବା।” ଶେଷରେ ‘ଅନେକ ଭଲପାଇବା ଓ ଏକ ବଡ଼ ଆଲିଙ୍ଗନ’ ବୋଲି ଲେଖି ନିଜ ଦସ୍ତଖତ ମଧ୍ୟ ଦେଇଥିଲେ ଶାହରୁଖ।

ଏହାସହ ମନ୍ନତ ବାହାରେ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’ର କିଛି ଝଲକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପ୍ରୋଜେକ୍ଟରରେ ଫିଲ୍ମର ଦୁଇଟି ଦମ୍‌ଦାର ଡାଏଲଗ୍‌, ‘କିଙ୍ଗ୍‌ ଅକେଲା କାଫି ହୈ’ ଏବଂ ‘ଡର୍‌ ନହିଁ, ଦହଶତ ହୁଁ’ ଦେଖିବାକୁ ମିଳିଥିଲା। ଫଳରେ ଜନ୍ମଦିନର ଉତ୍ସବ ସହ ଫ୍ୟାନ୍‌ଙ୍କୁ ମିଳିଥିଲା ତାଙ୍କ ଆଗାମୀ ଫିଲ୍ମର ଝଲକ।

ସବୁଠାରୁ ଖାସ୍‌ କଥା ହେଉଛି, ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’ ଡିସେମ୍ବର ୨୪ ତାରିଖରେ ବଡ଼ ପରଦାକୁ ଆସିବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଆକ୍ସନ୍‌ ଏଣ୍ଟରଟେନର୍‌ରେ ଶାହରୁଖଙ୍କ ସହ ପ୍ରଥମଥର ପାଇଁ ବଡ଼ ପରଦାରେ ନଜର ଆସିବେ ତାଙ୍କ ଝିଅ ସୁହାନା ଖାନ୍‌। ଏହା ଶାହରୁଖ ଓ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱିତୀୟ ଏକାଠି କାମ, ଏହା ପୂର୍ବରୁ ଦୁହେଁ ‘ପଠାନ୍‌’ରେ ଏକାଠି କାମ କରିଥିଲେ। ଏହାବ୍ୟତୀତ ‘କିଙ୍ଗ୍‌’ରେ ଦୀପିକା ପାଦୁକୋନ୍‌, ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ, ଅର୍ଶଦ ୱାର୍ସି, ଅନିଲ କପୁର, ଜୟଦୀପ ଅହଲାୱତ ଓ ରାଘବ ଜୁୟାଲଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ୨୦୨୩ ଡିସେମ୍ବରରେ ରିଲିଜ୍‌ ହୋଇଥିବା ‘ଡଙ୍କି’ ପରେ ଏହା ଶାହରୁଖଙ୍କ ପରବର୍ତ୍ତୀ ଥିଏଟର ରିଲିଜ୍‌ ହେବ।

ତେବେ ଏଥର ମନ୍ନତର ବାଲକୋନିରେ ଶାହରୁଖଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଫ୍ୟାନ୍‌ଙ୍କୁ ଟିକିଏ ନିରାଶ କରିଛି। କିନ୍ତୁ ଏହା ବଦଳରେ ତାଙ୍କ ହାତଲେଖା ଚିଠି ପ୍ରମାଣ କରିଦେଇଛି ଯେ, ଫ୍ୟାନ୍‌ଙ୍କ ଭଲପାଇବାକୁ ସେ ଭୁଲିନାହାନ୍ତି। ଆଉ ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ ସେ ବଲିଉଡର କିଙ୍ଗ୍ ଖାନ୍ ବୋଲାଉଛନ୍ତି ବୋଲି ମତ ରଖିଛନ୍ତି ଫ୍ୟାନ୍ସ ।

Leave A Reply

Your email address will not be published.