କଟକ:ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଘଂନ କରି ଅନ୍ୟକୁ କ୍ଷତି ପହଞ୍ଚାଇବା ଭଳି ବାଣ ବିକ୍ରି କରନ୍ତି କିମ୍ବା ଫୁଟାନ୍ତି, ତେବେ ୧୧୨କୁ କିମ୍ବା 82803 38303 ନମ୍ବରକୁ କଲ କରି ଅଭିଯୋଗ କରି ପାରିବେ ବୋଲି କଟକ ଡିସିପି କହିଛନ୍ତି । କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରଣ ହୋଇଛି । ରାତି ୯ଟା ପରେ ବାଣ ଫୁଟାଇବା ଉପରେ କଟକଣା ରହିଛି। ନିର୍ଦ୍ଧାରିତ ନିୟମ ଉଲ୍ଲଂଘନ ନକରିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।
କଟକ ସହରର ଗଳିକନ୍ଦି ଓ ଘନ ଜନବସତିକୁ ଦୃଷ୍ଟିରେ ରଖି ଅଗ୍ନିକାଣ୍ଡ ଭଳି ଅଘଟଣ ଏଡ଼ାଇବାକୁ ରକେଟ୍ ବାଣ ବ୍ୟବହାର ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ କଟକ ସହରର ୭ଟି ସ୍ଥାନରେ ବାଣ ଦୋକାନ ପାଇଁ ଖୋଲା ସ୍ଥାନ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ବେଆଇନ ବାଣ କାରବାର ଉପରେ କଟକ ପୋଲିସର କଡ଼ା ନଜର ରଖିଛି । ଚୋରା ବାଣ ବିକ୍ରି, ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ପରିବହନ ଅଭିଯୋଗରେ ପୋଲିସ ୮ଟି ମାମଲା ରୁଜୁ କରିଛି । ଏଥିସହ ପ୍ରାୟ ୪୦ ଲକ୍ଷ ଟଙ୍କାର ବାଣ ଓ ଦୁଇଟି କାର୍ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।
