ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଘୋଷଣା କରିଛନ୍ତି। ନଭେମ୍ବର ୫ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ (୩ ଦିନ) କ୍ଲାସ ବନ୍ଦ ରହିବ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବନ୍ୟାରେ ୪୯୮ ସ୍କୁଲ ଓ ୧୦୩୨ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। ସଫେଇ, ବିଶୋଧନ ଓ ମରାମତି ପାଇଁ ସ୍କୁଲ ଓ ଅଙ୍ଗନବାଡି ଛୁଟି ରହିବ ବୋଲି କହିଛନ୍ତି ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ (ସରକାରୀ ଓ ବେସରକାରୀ) ସ୍କୁଲ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହି ନିୟମ ଲାଗୁ ହେବ।
ବାତ୍ୟା ଓ ବର୍ଷା ଯୋଗୁଁ ଅନେକ ସ୍କୁଲ ଘରେ ପାଣି ପଶିଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ତ୍ତମାନ ବୈଷୟିକ ଯାଞ୍ଚ, ସଫେଇ ଏବଂ ବିଶୋଧନ କାର୍ଯ୍ୟ ଚାଲୁଥିବାରୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲଗୁଡ଼ିକରେ କ୍ଲାସ ବନ୍ଦ ରହିଲେ ସୁଦ୍ଧା ସମସ୍ତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ ସ୍କୁଲକୁ ଆସି ନିଜ କାର୍ଯ୍ୟରେ ଯୋଗଦେବେ ଏବଂ ସଫେଇ କାର୍ଯ୍ୟର ତଦାରଖ କରିବେ। ପରିସ୍ଥିତିର ସମୀକ୍ଷା କରାଯିବା ପରେ ଆସନ୍ତା ନଭେମ୍ବର ୯ ତାରିଖ (ସୋମବାର) ଠାରୁ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
