କୋରାପୁଟ: ନା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ପ୍ରତି ଭୟ, ନା ଆଇନ କାନୁନ ପ୍ରତି ଖାତିର। ସବୁ ନୀତି ନିୟମକୁ ଫୁ’ କରି ପଞ୍ଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଥିବା ଆନ୍ଧ୍ରର ଆଜି ଭାଙ୍ଗିଛି ଆଣ୍ଟ। କାଲିର ଠେଲାପେଲା ସହ ଖଣ୍ଡଯୁଦ୍ଧ ପରେ ଆଜି କୋଟିଆ ଗ୍ରାଉଣ୍ଡରୁ ତଡ଼ା ଖାଇଛି ଆନ୍ଧ୍ର ପୋଲିସ। ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍ । କୋଟିଆରୁ ଫେରିଗଲେ ପୋଲିଂ ପାର୍ଟି । ହଠାତ୍ ଘେରିଗଲେ ସାଧାରଣ ଲୋକେ। ବାଟ ପାଇଲେନି ଆନ୍ଧ୍ର ସରପଞ୍ଚ ।
ଅନ୍ୟପଟେ ଓଡ଼ିଶା ରାଜନୀତିରେ ‘ଚିଠି ପଲିଟିକ୍ସ’। ପୁଣି ଥରେ ସିଏମ୍ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୦୨୪ ବିଜେପି ଇସ୍ତାହାରକୁ ସେ ମନେ ପକାଇଦେଇଛନ୍ତି। ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ ‘କୋଟିଆ’ର ସମାଧାନ ଦାବି କରିଛନ୍ତି। ୨୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ କୋଟିଆ ସମାଧାନ ପାଇଁ ସେ ଦାବି କରିଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାରୁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ବୋଲି ବିଜେଡି ଦାବି କରିଛି ।
ଏଣେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ପଣ୍ଡ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ସବୁଠି କଡ଼ା ନଜର ରଖିଥିବା କୋରାପୁଟ ପ୍ରଶାସନ ଆଜି ଚେକ୍ ପୋଷ୍ଟକୁ ନିଜ କବଜାକୁ ନେବା ପରେ ବାଧ୍ୟ ହୋଇ ଫେରିଯାଇଛି ଆନ୍ଧ୍ର ପୋଲିସ। ତାସହ କୋଟିଆରୁ ପୋଲିଂ ପାର୍ଟି ବି ଫେରିଯାଇଛି। ଆସନ୍ତାକାଲିର ଭୋଟିଂ ପାଇଁ ନେରେଡିବାଲସାରେ ବୁଥ୍ କରିବାକୁ ରିଟର୍ଣ୍ଣିଂ ଅଫିସର ଆନ୍ଧ୍ରରୁ ଦଳ ବଳ ଧରି କୋଟିଆ ଆସୁଥିବା ସୂଚନା ମିଳିଛି। ଆଉ ଏହାକୁ ମୁକାବିଲା ପାଇଁ କେବଳ ଓଡ଼ିଶା ସରକାର କିମ୍ବା ପ୍ରଶାସନ ନୁହଁ, କୋଟିଆ ମାଟିର ସୁରକ୍ଷା ପାଇଁ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବାହାରିଛନ୍ତି ଜନତାଙ୍କ ସହ ନେତା।
ଆନ୍ଧ୍ରର ଦାଦାଗିରି ବିରୋଧରେ କୋଟିଆ ସୀମାନ୍ତରେ ଏକାଠି ହେଉଛନ୍ତି ସମସ୍ତେ। ଗତକାଲିଠୁ ନେତା, ଜନତାଙ୍କ ସହ ସରକାରୀ ଅଧିକାରୀ ବି ଜଗିରହିଛନ୍ତି କୋଟିଆରେ। ଗୋଟିଏ ପଟେ କୋଟିଆ ନିର୍ବାଚନକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଛକାପଂଝା, ତାହାରି ଭିତରେ ବିରୋଧୀଙ୍କ ରୁଟି ସେକା ରାଜନୀତି। ଏଭଳି ସ୍ଥିତିରେ ଆସନ୍ତାକାଲି କ’ଣ ହେବ କୋଟିଆରେ, ତାକୁ ନେଇ ବଢ଼ିଛି ଚର୍ଚ୍ଚା।
