Latest Odisha News

BREAKING NEWS

SC on UGC Rules: ୟୁଜିସି ନିୟମକୁ ନେଇ ବଡ଼ ମୋଡ଼! କେନ୍ଦ୍ରକୁ ଅଧିକ ସମୟ ଦେଲେ ସୁପ୍ରିମକୋର୍ଟ, ନୂଆ ନିୟମର ହେବ ପୁନଃ ସମୀକ୍ଷା…

ନୂଆଦିଲ୍ଲୀ: କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାତିଗତ ଭେଦଭାବ ଏବଂ ରାଗିଂ ରୋକିବା ପାଇଁ UGC ଆଣିଥିବା ନୂଆ ନିୟମକୁ ନେଇ ଚାଲିଥିବା ବିବାଦରେ ଆସିଛି ନୂଆ ମୋଡ଼। ଏହି ନିୟମର ପୁନଃ ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ନିୟମର କିଛି ବ୍ୟବସ୍ଥାକୁ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଆପତ୍ତି ଉଠାଇଥିବା ବେଳେ, ଏହାକୁ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯାଉଥିବା କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ମଙ୍ଗଳକୁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଜାତିଗତ ଭେଦଭାବ ଓ ରାଗିଂ ରୋକିବା ପାଇଁ ଠୋସ୍‌ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଛନ୍ତି ଯେ, ଏହି ନିୟମ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଉଛି। ନିୟମରେ ଥିବା ବ୍ୟବସ୍ଥା ଓ ଏହାକୁ ନେଇ ଉଠିଥିବା ଆପତ୍ତିଗୁଡ଼ିକୁ ଖତିଆନ କରିବା ପାଇଁ କେନ୍ଦ୍ର ଅଧିକ ସମୟ ମାଗିଥିଲା। ଏହାକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି।

ତେବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା UGC ଉଚ୍ଚଶିକ୍ଷା ଅନୁଷ୍ଠାନରେ ଜାତିଗତ ଭେଦଭାବ ରୋକିବା ଏବଂ କ୍ୟାମ୍ପସକୁ ସୁରକ୍ଷିତ ଓ ସମାବେଶୀ କରିବା ଉଦ୍ଦେଶ୍ୟରେ ନୂଆ ନିୟମ ଆଣିଥିଲା। ତେବେ ଏହି ନିୟମର କିଛି ବ୍ୟବସ୍ଥାକୁ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଆପତ୍ତି ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ, ନିୟମର କିଛି ପ୍ରାବଧାନ ସେମାନଙ୍କ ପ୍ରତି ମଧ୍ୟ ଭେଦଭାବ ସୃଷ୍ଟି କରିପାରେ। ଏହି ଆପତ୍ତିକୁ ନେଇ ଆଇନଗତ ଚ୍ୟାଲେଞ୍ଜ ହୋଇଥିଲା ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ନିୟମକୁ ନେଇ କେନ୍ଦ୍ର ସରକାର ଓ UGCକୁ ନୋଟିସ୍‌ ଜାରି କରିଥିଲେ। ଏଥିସହ ନିୟମର କାର୍ଯ୍ୟକାରୀ ହେବା ଉପରେ ଅନ୍ତରୀଣ ରୋକ୍‌ ଲଗାଇଥିଲେ। ଏବେ କେନ୍ଦ୍ର ସରକାରଙ୍କୁ ମିଳିଥିବା ଅଧିକ ସମୟ ମଧ୍ୟରେ ପ୍ରସ୍ତାବିତ କମିଟି ନିୟମର ବିଭିନ୍ନ ଦିଗ ଓ ଉଠିଥିବା ଆପତ୍ତିଗୁଡ଼ିକୁ ଯାଞ୍ଚ କରିବ। ଏହା ପରେ ନିୟମରେ ପରିବର୍ତ୍ତନ ହେବ କି ନାହିଁ, ସେନେଇ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହୋଇପାରେ।

Leave A Reply

Your email address will not be published.