ହାଇଦ୍ରାବାଦ: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ବଡ଼ ଟ୍ରେଡ୍ ଡିଲ୍ ସମ୍ପନ୍ନ ହୋଇଛି । ଏହି ଡିଲ୍ରେ ଉଭୟ ଦଳ ମୋଟ ୪ ଜଣ ଖେଳାଳିଙ୍କୁ ଅଦଳବଦଳ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦରୁ ଇଂଲଣ୍ଡ ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜ୍ୟାକ୍ ଏଡୱାର୍ଡସ ଚେନ୍ନାଇ ଦଳରେ ଯୋଗ ଦେଇଛନ୍ତି । ଅନ୍ୟପଟେ, ଚେନ୍ନାଇରୁ ଭାରତୀୟ ବାମହାତୀ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ ଏବଂ ଅଷ୍ଟ୍ରେଲୀୟ ପେସର ନାଥନ୍ ଏଲିସ୍ ହାଇଦ୍ରାବାଦ ଦଳରେ ସାମିଲ ହୋଇଛନ୍ତି । ବିସିସିଆଇ ଗୁରୁବାର ଏହି ଟ୍ରେଡ୍ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛି । ସନରାଇଜର୍ସ ହାଇଦ୍ରାବାଦ ଲିଭିଙ୍ଗଷ୍ଟୋନ୍ଙ୍କୁ ଗତ ନିଲାମରେ ୧୩ କୋଟିରେ କିଣିଥିଲା । କିନ୍ତୁ ଏବେ ସେ ୬ କୋଟିର ମୂଲ୍ୟରେ ଚେନ୍ନାଇକୁ ଆସିଛନ୍ତି । ସେ ବିସ୍ଫୋରକ ବ୍ୟାଟିଂ ସହ ଅଫ୍-ସ୍ପିନ୍ ଓ ଲେଗ୍-ସ୍ପିନ୍ ଉଭୟ ବୋଲିଂ କରିବାରେ ମାହିର । ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜ୍ୟାକ୍ ଏଡୱାର୍ଡସ ୩ କୋଟିରେ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି । ଗୋଡ଼ରେ ଆଘାତ ଯୋଗୁଁ ସେ ଆଇପିଏଲ ୨୦୨୬ ଖେଳିପାରି ନଥିଲେ ।
ଖଲିଲ୍ ଅହମ୍ମଦ ୨୦୧୮ରୁ ୨୦୨୧ ପର୍ୟ୍ୟନ୍ତ ହାଇଦ୍ରାବାଦ ପାଇଁ ଖେଳିସାରିଛନ୍ତି । ଆଇପିଏଲ ୨୦୨୫ରେ ଚେନ୍ନାଇ ପାଇଁ ୧୪ଟି ମ୍ୟାଚ୍ରୁ ୧୫ଟି ୱିକେଟ୍ ନେଇଥିବା ବେଳେ ୨୦୨୬ ସିଜନ୍ରେ ଆଘାତ ସମସ୍ୟା ଯୋଗୁଁ ସେ ମାତ୍ର ୫ଟି ମ୍ୟାଚ୍ ଖେଳିପାରିଥିଲେ । ନିଜର ଭେରାଇଟି ଏବଂ ଡେଥ୍ ଓଭର ବୋଲିଂ ପାଇଁ ଜଣାଶୁଣା ନାଥନ୍ ଏଲିସ୍ ୨ କୋଟିରେ ସନରାଇଜର୍ସରେ ସାମିଲ ହୋଇଛନ୍ତି, ଯାହା ଦଳର ପେସ୍ ଆଟାକ୍କୁ ଅଧିକ ମଜବୁତ୍ କରିବ । ୨୦୨୭ ସିଜନ୍ ପାଇଁ ଖେଳାଳିଙ୍କ ନିଲାମୀ ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜିଙ୍କୁ ନଭେମ୍ବର ୧୭ ସୁଦ୍ଧା ସେମାନଙ୍କର ରିଟେନ୍ ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ, ଗତ ୩ଟି ସିଜନ୍ର ନିଲାମୀ ଭାରତ ବାହାରେ (ଦୁବାଇ, ଜେଦ୍ଦା, ଆବୁଧାବି) ଅନୁଷ୍ଠିତ ହୋଇଥିଲା ।
