କବିସୂର୍ଯ୍ୟନଗର:ବାତ୍ୟା ଅର୍ଣ୍ଣବର ଲଗାଣ ବର୍ଷାରେ ଦୁଇ ଏକର ଜମିର ଧାନ ଓ ପରିବା ଫସଲ ହୋଇଗଲା ନଷ୍ଟ । ଫଳରେ ଋଣ କିପରି ସୁଝିବେ ସେହି ଚିନ୍ତାରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ନୂଆଗାଁ ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର । ମୃତ ଚାଷୀ ଜଣକ ହେଉଛନ୍ତି ବୁଲୁ ମଲ୍ଲିକ ।
ଫସଲ ନଷ୍ଟ ହେବା ପରଠାରୁ ବୁଲୁ ମାନସିକ ଚିନ୍ତାରେ ରହୁଥିବା ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କହିଛନ୍ତି। ଚାଷରେ କ୍ଷତି ସହିବା ସହ ବ୍ୟକ୍ତିଗତ ଋଣ ଓ ଚାଷ ଋଣର ଚାପ ତାଙ୍କୁ ଚିନ୍ତାଗ୍ରସ୍ତ କରିଥିବା ଅଭିଯୋଗ ହୋଇଛି।
ସୂଚନାଥାଉକି, ବୁଲୁଙ୍କ ପରିବାରରେ ଆଉ କେହି ନଥିଲେ। ଏକାକୀ ଜୀବନ ବିତାଉଥିଲେ ବୁଲୁ । ସେ ଋଣ କରି ଦୁଇ ଏକର ଜମିରେ ଧାନ ଓ ପରିବା ଚାଷ କରିଥିଲେ। ଫସଲ ଭଲ ହେଲେ ଋଣ ପରିଶୋଧ କରିବା ସହ ଆଗକୁ ଭଲରେ ଚଳିବେ ବୋଲି ଆଶା ରଖିଥିଲେ। କିନ୍ତୁ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ତାଙ୍କ ସବୁ ଆଶାକୁ ଧୋଇ ନେଇଥିଲା।
ଏନେଇ କବିସୂର୍ଯ୍ୟନଗର ତହସିଲଦାର ଚର୍ଚ୍ଚିଲ ମିଶ୍ର କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ ଋଣ ଓ ଚାଷ ଋଣ ମୃତ୍ୟୁର କାରଣ ହୋଇଥିବା ଜଣାପଡ଼ିଛି। ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଅନ୍ୟାନ୍ୟ ଦିଗ ତଦନ୍ତ ପରେ ସ୍ପଷ୍ଟ ହେବ ।
