Latest Odisha News

BREAKING NEWS

SC on Delhi Weather: ନିଶ୍ବାସ ନେବାକୁ ହେଉଛି କଷ୍ଟ…କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ!, “ଦିଲ୍ଲୀର ପାଗ ଉପଭୋଗ କରୁଛନ୍ତି ତ…”

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷିତ ପବନରେ ଅଣନିଃଶ୍ୱାସୀ ହେଲେଣି ଲୋକେ। ଧୀରେ ଧୀରେ ବାୟୁର ମାନ ଅତି ଖରାପରୁ ଭୟଙ୍କର ବା ଗମ୍ଭୀର ଶ୍ରେଣୀ ଆଡ଼କୁ ଗତି କରୁଛି। ଏଭଳି ସ୍ଥିତିରେ ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ କର୍ତ୍ତୃପକ୍ଷଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଏପରିକି କର୍ତ୍ତୃପକ୍ଷଙ୍କୁ କଟାକ୍ଷ କରି ପ୍ରଧାନ ବିଚାରପତି କହିଛନ୍ତି, “ଆଶା କରୁଛି, ଆପଣ ସମସ୍ତେ ଦିଲ୍ଲୀର ପାଗକୁ ଉପଭୋଗ କରୁଥିବେ!”

ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନା ମଧ୍ୟ ସାମିଲ ଥିଲେ। ଶୁଣାଣି ସମୟରେ କୋର୍ଟ କହିଥିଲେ, ପ୍ରଦୂଷଣ ରୋକିବାକୁ ନେଇ କର୍ତ୍ତୃପକ୍ଷ କେବଳ କଥା କହୁଛନ୍ତି ଓ ବିଭିନ୍ନ ବୟାନ ଦେଉଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ହେଉଛି, ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ AQI ବା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ମାର୍କ ଛୁଇଁବାକୁ ବସିଲାଣି।

ଏହି ସମୟରେ କୋର୍ଟଙ୍କ ସହାୟକ ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ କହିଥିଲେ, ଦିଲ୍ଲୀ-ଏନସିଆରରେ ଲୋକେ ପ୍ରତିଦିନ ଯେଉଁ ପବନ ନିଃଶ୍ୱାସରେ ନେଉଛନ୍ତି, ତାହା ଦିନକୁ ୩୦ଟି ସିଗାରେଟ୍ ଟାଣିବା ସହ ସମାନ। ଏହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ସହ ସ୍ୱର ଉପରେ ମଧ୍ୟ ପଡ଼ୁଛି। ନଭେମ୍ବର ୫ ତାରିଖରେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ନଡ଼ା ଜାଳିବାର ଅବଦାନ ୧୪ ପ୍ରତିଶତ ଥିଲା ବୋଲି ସେ କହିଥିଲେ। ଏହା ସ୍ଥିତିକୁ ଆହୁରି ଖରାପ କରୁଛି। ଏହା ଶୁଣି କୋର୍ଟ କହିଥିଲେ, ଏବେ ଚାଷୀମାନେ ନୂଆ ଫସଲ ବୁଣିବାର ସମୟ। ତେଣୁ ଏହି ସମୟ ସୁଦ୍ଧା ନଡ଼ା ଜାଳିବା ବନ୍ଦ ହୋଇଯିବା କଥା। ଏହାର ଉତ୍ତରରେ ଅପରାଜିତା ସିଂହ କହିଥିଲେ, ଚାଷୀଙ୍କୁ ନଡ଼ା ହଟାଇବା ପାଇଁ ମେସିନ୍ ଯୋଗାଇ ଦିଆଯାଇଛି। କିନ୍ତୁ ସେହି ମେସିନ୍ ଚଳାଇବା ପାଇଁ ଇନ୍ଧନ ବା ତେଲ ଆବଶ୍ୟକ।

ଏହି ପ୍ରସଙ୍ଗରେ ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ, ପୂର୍ବରୁ ଚାଷୀଙ୍କଠାରୁ ନିର୍ଦ୍ଦିଷ୍ଟ ଦରରେ ନଡ଼ା କିଣିବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ଏହାର ଉତ୍ତରରେ ଅତିରିକ୍ତ ସଲିସିଟର ଜେନେରାଲ୍ (ASG) କହିଥିଲେ ଯେ, ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ତେବେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଥିଲେ, ନଡ଼ା ହଟାଇବା ମେସିନ୍ କେବଳ ବ୍ୟକ୍ତିଗତ ଚାଷୀଙ୍କୁ ଦେବା ପରିବର୍ତ୍ତେ ଗ୍ରାମ ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯିବା ଉଚିତ। କାରଣ ଜଣେ ବ୍ୟକ୍ତିଗତ ଚାଷୀଙ୍କ ପକ୍ଷରେ ଏଭଳି ମେସିନ୍ କିଣିବା ସମ୍ଭବ ନୁହେଁ। ଏହା ସହ ନଡ଼ା ଜାଳିବାର କୁପ୍ରଭାବ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ କୋର୍ଟ କହିଥିଲେ। ଆରମ୍ଭରେ ଚାଷୀମାନେ ଏହି ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିପାରନ୍ତି, କିନ୍ତୁ ନଡ଼ା ନଜାଳିବାର ଲାଭ ବୁଝାଇ ସେମାନଙ୍କୁ ରାଜି କରାଇବାକୁ ପଡ଼ିବ ବୋଲି ସେ କହିଥିଲେ।

କେବଳ ଚାଷୀଙ୍କୁ ନୁହେଁ, ଦିଲ୍ଲୀର ଧନୀ ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଯାନବାହନରୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହି ଶ୍ରେଣୀର ଲୋକଙ୍କ ଗାଡ଼ି ଚଳାଚଳ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକିବାକୁ କେଉଁ ପଦକ୍ଷେପ ନିଆଯାଇଛି, ତାହା ଜାଣିବାକୁ ଚାହିଁଥିଲେ ପ୍ରଧାନ ବିଚାରପତି। ଏହା ସହ ପର୍ବପର୍ବାଣୀ ସମୟରେ ଆମର ପାରମ୍ପରିକ ରୀତିନୀତି ଓ ପ୍ରଥାକୁ ନେଇ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ। କେବଳ ଅଧିକ କଟକଣା ଲଗାଇଦେଲେ କିମ୍ବା ନୂଆ ନୂଆ ନିର୍ଦ୍ଦେଶ ଜାରି କଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ।

କୋର୍ଟଙ୍କ କହିବା ଅନୁସାରେ, “କୌଣସି କଟକଣା କାମ କରିବ ନାହିଁ। ଆମେ ଯେତେ ଅଧିକ ନିର୍ଦ୍ଦେଶ ଜାରି କରିବୁ, ନିୟମ ଉଲ୍ଲଂଘନ ସେତେ ବଢ଼ିବ।” ଏଥିସହ ଖଣ୍ଡପୀଠ କହିଥିଲେ, ଗରିବ ଲୋକମାନେ ପ୍ରଦୂଷଣ ସୃଷ୍ଟି କରୁନାହାନ୍ତି, ବରଂ ଏହାର ସବୁଠାରୁ ଅଧିକ ଶିକାର ହେଉଛନ୍ତି। ଯେଉଁମାନଙ୍କ ପାଖରେ ସମ୍ବଳ ଅଛି ଏବଂ ଯେଉଁମାନେ ପ୍ରଦୂଷଣରେ ଅଧିକ ଅବଦାନ ରଖୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ କେବଳ ପରିବେଶଗତ ସମସ୍ୟା ନୁହେଁ, ଏହା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଗମ୍ଭୀର ସଙ୍କଟ। ତେଣୁ କେବଳ ନିର୍ଦ୍ଦେଶ ନୁହେଁ, ଚାଷୀଙ୍କୁ ସହଯୋଗ, ସଚେତନତା ଏବଂ ସହରାଞ୍ଚଳର ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଭଳି ଦିଗରେ ଏକାସାଙ୍ଗରେ ପଦକ୍ଷେପ ନେବାକୁ ପଡ଼ିବ।

Leave A Reply

Your email address will not be published.