ଅନୁଗୋଳ: କଣିହାଁ ବ୍ଲକ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମ୍ ତଳମୁଣ୍ଡରେ ଅଘଟଣ। ମାଛ ଧରିବାକୁ ଯାଇ ବୁଡ଼ିଗଲା ଡଙ୍ଗା, ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ। ମୃତ ବ୍ୟକ୍ତିଜଣକ ହେଲେ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା (୨୭ ବର୍ଷ)। ଶୁକ୍ରବାର ଭୋର ସମୟରେ ନୀଳକଣ୍ଠ ଏକ ଛୋଟ ଡଙ୍ଗା ସାହାଯ୍ୟରେ ରେଙ୍ଗାଳି ଡ୍ୟାମ୍ର ତଳମୁଣ୍ଡରେ ଥିବା ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ।
ନଦୀରେ ଜାଲ ପକାଉଥିବା ସମୟରେ ହଠାତ୍ କୌଣସି କାରଣରୁ ତାଙ୍କ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏବଂ ବୁଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜଳରୁ ବାହାରକୁ ଆଣିଥିଲେ ମଧ୍ୟ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ରେଙ୍ଗାଳି ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଡଙ୍ଗାଟି କେଉଁ ପରିସ୍ଥିତିରେ ବୁଡ଼ିଲା, ତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ।
