ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ। ରକ୍ତରଞ୍ଜିତ ହେଲା ଭୁବନେଶ୍ୱର। ପୁଣି ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ। ଥମୁନି ଅପରାଧୀଙ୍କ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଫୁଟିଛି ଗୁଳି। ବ୍ଲାଙ୍କରୁ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ହୋଇଛି । ଏହି ବମିଖାଲ ଗୁଳିକାଣ୍ଡ ସରକାରୀ ବନ୍ଧୁକ ଦୋକାନ ଆଗରେ ଘଟିଛି।
ରାତି ପ୍ରାୟ ୩ଟା ସମୟରେ ଘଟିଥିବା ଏହି ଘଟଣା ରାଜଧାନୀରେ ପୁଣି ଥରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ସୂଚନା ଅନୁସାରେ, ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ। ସେହିସମୟରେ ବମିଖାଲ ଅଞ୍ଚଳରେ ପୂର୍ବରୁ ଛକି ରହିଥିଲେ କିଛି ଦୁର୍ବୃତ୍ତ। ସୋନୁ ଓ ତାଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ଅତି ନିକଟରୁ, ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ।
ଗୁଳିମାଡ଼ରେ ସୋନୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ହଠାତ୍ ଏଭଳି ଆକ୍ରମଣରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସୋନୁଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିକାଣ୍ଡ ପରେ ବମିଖାଲ ଓ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ କାରଣରୁ ସୋନୁଙ୍କୁ ଏଭଳି ହତ୍ୟା କରାଗଲା, ସେ ନେଇ ଏବେ ସ୍ପଷ୍ଟ ହୋଇନାହିଁ। ଗୁଳିକାଣ୍ଡରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ପରିଚୟ ଓ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ।
