ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ ): ଆଲୋକର ପର୍ବ ଦୀପାବଳିରେ ଆତସବାଜି ଓ ବାଣ ଫୁଟାଇବାର ପ୍ରଭାବ ଏବେ ବାୟୁମଣ୍ଡଳ ଉପରେ ପଡ଼ିଛି। ଦୀପାବଳି ପରେ ରାଜ୍ୟର ଅନେକ ପ୍ରମୁଖ ସହରରେ ବାୟୁ ଗୁଣବତ୍ତା ହ୍ରାସ ପାଇଥିବା ଦେଖାଯାଇଛି। ବିଶେଷକରି ଶିଳ୍ପାଞ୍ଚଳ ତାଳଚେରରେ ବାୟୁ ଗୁଣବତ୍ତା ସବୁଠୁ ଅଧିକ ଖରାପ ରହିଛି। ଉପଲବ୍ଧ ତଥ୍ୟ ଅନୁସାରେ, ତାଳଚେରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୮୧ ରେକର୍ଡ ହୋଇଥିବା ବେଳେ ଯୋଡ଼ା ବିଲେଇପଦାରେ ୨୫୮ ଏବଂ ରାଜଧାନୀ ଭୁବନେଶ୍ୱରରେ ୨୦୬ ରହିଛି। ଅନ୍ୟପଟେ ରାଉରକେଲାରେ ଏହା ୧୭୮ ରହିଛି। ଏହି ଚିତ୍ର ଦୀପାବଳି ପରେ ବାୟୁ ପ୍ରଦୂଷଣକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ୍ୟୁଆଇ ବର୍ଗୀକରଣ ଅନୁସାରେ, ୨୦୧ରୁ ୩୦୦ ମଧ୍ୟରେ ଥିବା ବାୟୁ ଗୁଣବତ୍ତାକୁ ଖରାପ ଶ୍ରେଣୀରେ ରଖାଯାଇଛି। ଏହି ଶ୍ରେଣୀରେ ଦୀର୍ଘ ସମୟ ଧରି ରହିଲେ ଅଧିକାଂଶ ଲୋକଙ୍କଠାରେ ନିଶ୍ୱାସ ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ସେହିପରି ୧୦୧ରୁ ୨୦୦ ମଧ୍ୟରେ ଥିବା ଏକ୍ୟୁଆଇକୁ ମଧ୍ୟମ ଶ୍ରେଣୀରେ ରଖାଯାଇଛି।
ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ବାୟୁମଣ୍ଡଳରେ ବିଭିନ୍ନ ପ୍ରକାରର କ୍ଷତିକାରକ ଗ୍ୟାସ୍ ଓ ସୂକ୍ଷ୍ମ ଧୂଳିକଣା ମିଶିଥାଏ। ବିଶେଷକରି ପିଏମ୍୨.୫ ଓ ପିଏମ୍୧୦ ଭଳି କଣିକା ବାୟୁରେ ମିଶିବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ପିଏମ୍୨.୫ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ଶ୍ୱାସନଳୀ ଦେଇ ଫୁସ୍ଫୁସ୍ର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିପାରେ। ଫଳରେ ଆଜ୍ମା, ବ୍ରୋଙ୍କାଇଟିସ୍, ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ହୃଦ୍ରୋଗ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଅଧିକ ପ୍ରଭାବ ପଡ଼ିପାରେ।
କେବଳ ବାଣ ଧୂଆଁ ନୁହେଁ, ତାଳଚେର ଓ ଯୋଡ଼ା ଭଳି ଶିଳ୍ପ ଓ ଖଣି ଅଞ୍ଚଳରେ ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁ, ଖଣିଜ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ଧୂଳିକଣା, ଯାନବାହନ ଧୂଆଁ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଏହି ଅଞ୍ଚଳଗୁଡ଼ିକରେ ପୂର୍ବରୁ ରହିଥିବା ପ୍ରଦୂଷଣ ସହ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ସୃଷ୍ଟି ହୋଇଥିବା ଧୂଆଁ ଯୋଡ଼ି ହେବା ଫଳରେ ସ୍ଥିତି ଅଧିକ ଚିନ୍ତାଜନକ ହୋଇପାରେ।
ଏଭଳି ସ୍ଥିତିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ନିଶ୍ୱାସ ଜନିତ ସମସ୍ୟା ଏବଂ ହୃଦ୍ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଉଚିତ ବୋଲି ସେ କହିଛନ୍ତି। ଏଥିସହ ଅତ୍ୟଧିକ ପ୍ରଦୂଷଣ ଥିବା ସମୟରେ ବାହାରେ ଅଧିକ ସମୟ ରହିବା, ଦୌଡ଼ିବା କିମ୍ବା ଅଧିକ ପରିଶ୍ରମ ହେଉଥିବା ବ୍ୟାୟାମ କରିବାରୁ ନିବୃତ୍ତ ରହିବା ଆବଶ୍ୟକ। ଶିଶୁ, ବୟସ୍କ ଓ ଶ୍ୱାସରୋଗୀଙ୍କ ପ୍ରତି ଅଧିକ ସତର୍କତା ରଖିବା ଦରକାର।
ଉଲ୍ଲେଖଯୋଗ୍ୟ, ଦୀପାବଳି ପୂର୍ବରୁ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗ୍ରୀନ୍ କ୍ରାକର ବ୍ୟବହାର କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମ ମାନିବାକୁ ଲୋକଙ୍କୁ ଅପିଲ୍ କରାଯାଇଥିଲା। ପାରମ୍ପରିକ ବାଣରେ ବେରିୟମ୍ ନାଇଟ୍ରେଟ୍, ସୀସା ଓ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ରହିପାରେ ବୋଲି ମଧ୍ୟ ବୋର୍ଡ ପକ୍ଷରୁ ସତର୍କ କରାଯାଇଥିଲା। ଅସଲି ଗ୍ରୀନ୍ କ୍ରାକର ଚିହ୍ନିବା ପାଇଁ ସିଏସ୍ଆଇଆର୍-ନିରିର ଲୋଗୋ ଓ କ୍ୟୁଆର୍ କୋଡ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଥିଲା।
ତେବେ ପ୍ରତିବର୍ଷ ଦୀପାବଳି ପରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କେବଳ ପର୍ବପର୍ବାଣୀ ସମୟରେ ନୁହେଁ, ବର୍ଷସାରା ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବା ଜରୁରୀ। ଶିଳ୍ପାଞ୍ଚଳରେ ନିୟମିତ ପ୍ରଦୂଷଣ ଯାଞ୍ଚ, ଧୂଳି ନିୟନ୍ତ୍ରଣ, ଯାନବାହନ ଧୂଆଁ ଉପରେ ନଜର ଏବଂ ବାୟୁ ଗୁଣବତ୍ତାର ନିୟମିତ ମନିଟରିଂ ଆବଶ୍ୟକ।
ଅଭିନୟ ଆଦିତ୍ୟ ନାୟକ
