ଅଙ୍କାରା: ସୋମବାର ଦିନ ତୁର୍କୀର ଏକ ଲୁହା ଏବଂ ଇସ୍ପାତ କାରଖାନାରେ ବଡ଼ ବିସ୍ଫୋରଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଏକ ନିର୍ଦ୍ଧାରିତ କ୍ୟାବିନେଟ୍ ବୈଠକ ପରେ ଘୋଷଣା କରିଛନ୍ତି ଯେ ଇଜମିର୍ ପ୍ରଦେଶର ଆଲିଆଗାରେ ଥିବା ହାବାସ କାରଖାନାରେ ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି। ଏର୍ଡୋଗାନ୍ କହିଛନ୍ତି ଯେ ବିସ୍ଫୋରଣର ନ୍ୟାୟିକ ଏବଂ ପ୍ରଶାସନିକ ତଦନ୍ତ ଆରମ୍ଭ କରାଯାଇଛି। ଏହି ଦୁଃଖଦ ଘଟଣାର କାରଣ ଏବଂ ପରିସ୍ଥିତି, କାହାର ଅବହେଳା ଜଡିତ ଏବଂ କିଏ ଦାୟୀ ତାହାର ତଦନ୍ତ କରାଯିବ। ଏହି ଘଟଣାରେ ସମଗ୍ର ଦେଶ ଗଭୀର ଭାବରେ ମର୍ମାହତ।
ସୂଚନା ଅନୁସାରେ ତୁର୍କୀର ଇଜମିର ସହରଠାରୁ ପ୍ରାୟ ୬୦ କିଲୋମିଟର ଦୂର ଆଲିଆଗା (Aliaga) ଠାରେ ଥିବା ଦେଶର ଅନ୍ୟତମ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ‘ହାବାସ’ (HABAS) ଷ୍ଟିଲ୍ ପ୍ଲାଣ୍ଟରେ ଏହି ବିସ୍ଫୋରଣ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, କାରଖାନାର ତରଳ ଇସ୍ପାତ କାଷ୍ଟିଂ ପ୍ରକ୍ରିୟା ଚାଲିଥିବା ବେଳେ ବଏଲର ବଦଳାଇବା ପାଇଁ ବ୍ୟବହୃତ ହେଉଥିବା ଏକ ଓଭରହେଡ୍ ସିଲିଂ କ୍ରେନ୍ ହଠାତ୍ ଭାଙ୍ଗି ଏକ ବୃହତ ଇଣ୍ଡଷ୍ଟ୍ରିଆଲ୍ ଫର୍ଣ୍ଣେସ୍ (ଚୁଲ୍ଲୀ) ଉପରେ ପଡ଼ିଯାଇଥିଲା, ଯାହାଫଳରେ ଏହି ପ୍ରଳୟଙ୍କରୀ ବିସ୍ଫୋରଣ ସହ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଭୂକମ୍ପ ଭଳି ଅନୁଭୂତ ହୋଇଥିଲା ଏବଂ କାରଖାନାରୁ ବିପୁଳ ପରିମାଣର କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏରଦୋଗାନ କ୍ୟାବିନେଟ ବୈଠକ ପରେ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଅବହେଳା ଅଭିଯୋଗରେ ସ୍ଥାନୀୟ ପୋଲିସ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି।
