Latest Odisha News

BREAKING NEWS

BJP MP’s Controversial Remark: ୩ ମାସ କାମ କରି ୯ ମାସ ତାସ୍ ଖେଳୁଛନ୍ତି ଚାଷୀ! ବିଜେପି ସାଂସଦଙ୍କ ବୟାନକୁ ନେଇ ବିବାଦ

ରିଓ୍ବା: ଚାଷୀଙ୍କୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ବିଜେପି ସାଂସଦ। ବର୍ଷକୁ ମାତ୍ର ୩ ମାସ ପରିଶ୍ରମ କରୁଥିବା ବେଳେ ବାକି ୯ ମାସ ତାସ୍ ଖେଳିବା, ରାଜଶ୍ରୀ ଓ ବୋତଲରେ ସମୟ ବିତାଉଛନ୍ତି ଚାଷୀ ବୋଲି କହିଛନ୍ତି ମଧ୍ୟପ୍ରଦେଶର ରିୱା ସାଂସଦ ଜନାର୍ଦ୍ଦନ ମିଶ୍ର। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶର ରିୱାରୁ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ। ଏଥର ତାଙ୍କ ଟାର୍ଗେଟରେ ରହିଛନ୍ତି ଚାଷୀ। ଚାଷୀଙ୍କ କାର୍ଯ୍ୟଶୈଳୀ ଓ ଅଭ୍ୟାସକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ଗୋବର୍ଦ୍ଧନ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସାଂସଦ ଜନାର୍ଦ୍ଦନ ମିଶ୍ର। ଏହି ଅବସରରେ ଭାଷଣ ଦେବା ସମୟରେ ସେ କହିଥିଲେ, ଆଜିକାଲିର ଚାଷୀ ପୂର୍ବଭଳି ପରିଶ୍ରମ କରୁନାହାନ୍ତି। ବର୍ଷକୁ ମାତ୍ର ୩ ମାସ କାମ କରୁଥିବା ବେଳେ ବାକି ୯ ମାସ ତାସ୍ ଖେଳିବା, ରାଜଶ୍ରୀ, ବୋତଲ ଓ ଚୌଙ୍ଗୀ ଭଳି କାର୍ଯ୍ୟରେ ସମୟ ବିତାଉଛନ୍ତି।

ସାଂସଦଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦେଶର ଏକ ବଡ଼ ଜନସଂଖ୍ୟା ଚାଷୀଙ୍କ ପରିଶ୍ରମରେ ଉତ୍ପାଦିତ ଖାଦ୍ୟଶସ୍ୟ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ଚାଷୀଙ୍କ ପରିଶ୍ରମକୁ ନେଇ ଜଣେ ଜନପ୍ରତିନିଧିଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

କେବଳ ଚାଷୀଙ୍କୁ ନେଇ ମନ୍ତବ୍ୟ ନୁହେଁ, ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ଘରେ ଗାଈ ପାଳନ କରିବାକୁ ମଧ୍ୟ ଅପିଲ୍ କରିଥିଲେ ସାଂସଦ। ଗୋସେବା ଭାରତୀୟ ସଂସ୍କୃତି, ଆସ୍ଥା ଓ ପରମ୍ପରାର ଅଭିନ୍ନ ଅଙ୍ଗ ବୋଲି ସେ କହିଥିଲେ। ତାଙ୍କ ମତରେ, ଗୋପାଳନ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ସହ ଚାଷୀଙ୍କ ପାଇଁ ଆୟ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିପାରିବ। ବିଶେଷକରି ଅଦିନିଆ ବର୍ଷା କିମ୍ବା ଅତିବୃଷ୍ଟି ଯୋଗୁଁ ଫସଲ ନଷ୍ଟ ହେଲେ ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଅତିରିକ୍ତ ଆୟ ଦେଇପାରିବ। ତେଣୁ ସମସ୍ତେ ଗୋସଂରକ୍ଷଣ ଓ ଗୋସମ୍ବର୍ଦ୍ଧନର ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ।

ଜନାର୍ଦ୍ଦନ ମିଶ୍ର ମଧ୍ୟପ୍ରଦେଶର ରିୱା ଲୋକସଭା ଆସନରୁ ବିଜେପି ସାଂସଦ। ନିଜର ବିଭିନ୍ନ ବୟାନକୁ ନେଇ ସେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ଗୋବର୍ଦ୍ଧନ ପୂଜା କାର୍ଯ୍ୟକ୍ରମରେ ଚାଷୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି। ତେବେ ବର୍ଷସାରା ଚାଷ କାର୍ଯ୍ୟ ସହ ଜଡ଼ିତ ରହୁଥିବା ଚାଷୀଙ୍କ ପରିଶ୍ରମକୁ ନେଇ ସାଂସଦଙ୍କ ଏଭଳି ମନ୍ତବ୍ୟ କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ଏବେ ସାମାଜିକ ମହଲରେ ଆଲୋଚନା ଜାରି ରହିଛି।

Leave A Reply

Your email address will not be published.