ଭଦ୍ରକ: କାଳିପୂଜା ପାଇଁ ଚଳଚଂଚଳ ଭଦ୍ରକ ସହର । ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କୁ ଆରାଧନା କରାଯାଉଥିବା ବେଳେ ମା ଭଦ୍ରକାଳୀଙ୍କ ମନ୍ଦିରରେ କିନ୍ତୁ ଚାଲିଛି ସ୍ୱତନ୍ତ୍ର ପୂଜା । ପ୍ରତିଦିନ ମାଙ୍କର ହେଉଛି ବେଶ ପରିପାଟି । ତୃତୀୟ ଦିନରେ ମା ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭଦ୍ରକାଳୀ ହେଉଛନ୍ତି ଶାନ୍ତ, କାନ୍ତ ଓ ସୌମ୍ୟର ପ୍ରତୀକ । ଆଜି ସେହି ଶାନ୍ତ ନମନୀୟ ବେଶରେ ମାଙ୍କ ଆବିର୍ବାଭ ହୋଇଛି ଭକ୍ତଜନଙ୍କ ପାଇଁ । କୋଳରେ ଧାରଣ କରିଛନ୍ତି ଶିଶୁ କୃଷ୍ଣଙ୍କୁ । ଦୀପାବଳି ମଧ୍ୟରାତ୍ରରୁ ସ୍ୱତନ୍ତ୍ର ପୂଜା ଚାଲୁଥିବା ବେଳେ ମଙ୍ଗଳବାର ମାଙ୍କ ରାଜରାଜେଶ୍ୱରୀ ବେଶ ଦେଖିବାକୁ ଦୂରଦୂରାନ୍ତରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ହେଉଛି ତୃତୀୟ ଦିବସ ।
ବର୍ଷର ପ୍ରତ୍ୟେକ ଦିନ ମା ପରମ ବୈଷ୍ଣବୀ ଭାବେ ପୂଜା ପାଆନ୍ତି । କିନ୍ତୁ କାଳୀପୂଜା ଆସିଲେ ସାତ ଦିନରେ ମାଙ୍କର ହୁଏ ୭ଟି ବେଶ । ଆଜି ମାଙ୍କୁ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ କରାଯାଇଛି । ମାଙ୍କ ମୁଖ ପଦ୍ମ ବର୍ଣ୍ଣା, କମଳା ରଙ୍ଗର ପାଟବସ୍ତ୍ର ଧାରଣା କରି ଚତୁର୍ଦ୍ଧା ହସ୍ତରେ ଦର୍ଶନ ଦେଉଛନ୍ତି ମା । ହାତରେ ଖଡ୍ଗ, ତ୍ରୀଶୂଳ ଓ ଚକ୍ର ଧରିଛନ୍ତି । ବାହନ ସାଜିଛନ୍ତି ହସ୍ତି ଓ ବାଘ । କେବଳ ସେତିକି ନୁହେଁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଅନେକ କାର୍ଯ୍ୟ ସିଦ୍ଧି ସହ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ସେଥିପାଇଁ ମାଙ୍କ ଦର୍ଶନ କରିବାକୁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମାଙ୍କ ଆଶିର୍ବାଦ ଭିକ୍ଷା ପାଇ ଧାଇଁ ଆସିଛନ୍ତି ।
