Sonia Gandhi’s Book: ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କି ପୂର୍ବତନ ରାଷ୍ଟ୍ରପତି? ସୋନିଆଙ୍କ ବହିରେ ବଡ଼ ଖୁଲାସା, ୨୦୧୦ର ସେହି ମୁହୂର୍ତ୍ତ…
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କ’ଣ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ? ଏହାକୁ ନେଇ ନିଜ ଆତ୍ମକଥା ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍(Belonging: A Journey of Love) ରେ ଏକ ବଡ଼ ଖୁଲାସା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନଭେମ୍ବର ୧୦ରେ ବଜାରକୁ ଆସିଥିବା ଏହି ଆତ୍ମକଥାରେ ୨୦୧୦ ମସିହାର ଏକ ଘଟଣାକୁ ମନେ ପକାଇ ସୋନିଆ ଲେଖିଛନ୍ତି, ପ୍ରଣବ ମୁଖାର୍ଜୀ ତାଙ୍କ ପାଖକୁ ଆସି ସରକାରର ଶୀର୍ଷ ସ୍ତରରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ। ତାଙ୍କ ଇଙ୍ଗିତକୁ ସୋନିଆ ବୁଝିପାରିଥିଲେ। ପ୍ରଣବ ପ୍ରଧାନମନ୍ତ୍ରୀ ପଦ ଚାହୁଁଥିବା ସେ ଅନୁମାନ କରିଥିଲେ।
ସୋନିଆଙ୍କ ଲେଖା ଅନୁସାରେ, ୨୦୧୦ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଗୁରୁତର ମତଭେଦ ଦେଖାଦେଇଥିଲା। ଏହାର କାରଣ ସେ ସ୍ପଷ୍ଟ କରିନାହାନ୍ତି। ତେବେ ମନମୋହନ ସିଂହଙ୍କ ସରକାରରେ ଶୀର୍ଷ ସ୍ତରର ପଦବୀକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଟଣାଓଟରା ଥିବା ଚର୍ଚ୍ଚା ହେଉଥିଲା। ଏହି ମତଭେଦ ପରେ ପ୍ରଣବ ନିଜ ନିରାଶା ଜଣାଇବାକୁ ସୋନିଆଙ୍କ ପାଖକୁ ଯାଇଥିଲେ। ସେ ସରକାରର ଶୀର୍ଷ ସ୍ତରରେ ପରିବର୍ତ୍ତନ କଥା ଉଠାଇବା ପରେ ସୋନିଆ ତାଙ୍କ ମନ କଥା ବୁଝିଯାଇଥିଲେ। କିନ୍ତୁ ସେ ସିଧାସଳଖ ଏହି ପ୍ରସଙ୍ଗରେ ଆଲୋଚନା ନକରି କଥାବାର୍ତ୍ତା ବୁଲାଇ ବଙ୍କାଇ କରିଥିଲେ ବୋଲି ଲେଖିଛନ୍ତି ସୋନିଆ । ଅନ୍ୟ ପ୍ରସଙ୍ଗରେ ଦୁହେଁ କଥା ହୋଇଥିଲେ। ଏଥିରେ ପ୍ରଣବ ନିରାଶ ହୋଇଥିଲେ ମଧ୍ୟ କେବେ ତାଙ୍କ ବିରୋଧରେ ଯାଇନଥିବା ସୋନିଆ ଲେଖିଛନ୍ତି।
ପରେ ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନ ସମୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ପ୍ରଣବ ମୁଖାର୍ଜୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ଦେଶର ରାଷ୍ଟ୍ରପତି ହୋଇଥିଲେ। ସୋନିଆ କହିଛନ୍ତି, ପ୍ରଣବ ରାଷ୍ଟ୍ରପତି ହେବା ପରେ ସେ ତାଙ୍କୁ ଅନେକ ଥର ଭେଟିଥିଲେ। ପ୍ରଣବଙ୍କ ରାଜନୈତିକ ବୁଝାମଣା ଓ ଅଭିଜ୍ଞତାକୁ ସମସ୍ତେ ସମ୍ମାନ କରୁଥିଲେ।
ଅନ୍ୟପଟେ ପ୍ରଣବ ମୁଖାର୍ଜୀ ନିଜ ଆତ୍ମକଥା The Coalition Years: 1996–2012ରେ ମଧ୍ୟ ପ୍ରଧାନମନ୍ତ୍ରୀ ପଦକୁ ନେଇ ନିଜ ଅନୁଭୂତି ଲେଖିଥିଲେ। ୨୦୦୪ରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ମନା କରିବା ପରେ ତାଙ୍କ ବନ୍ଧୁମାନେ ପ୍ରଣବଙ୍କୁ ସେହି ପଦ ମିଳିବ ବୋଲି ଭାବିଥିଲେ। କିନ୍ତୁ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ୨୦୧୨ରେ ମନମୋହନ ସିଂହ ରାଷ୍ଟ୍ରପତି ହେବେ ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ମିଳିବ ବୋଲି ପ୍ରଣବ ଆଶା କରିଥିଲେ। କିନ୍ତୁ ସୋନିଆ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ବଦଳରେ ରାଷ୍ଟ୍ରପତି ପଦ ବିଷୟରେ କହିଥିଲେ ବୋଲି ସେ ଲେଖିଥିଲେ।
ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ। ସୋନିଆଙ୍କ ଏହି ନୂଆ ଖୁଲାସା ପରେ କଂଗ୍ରେସ ଶାସନ ସମୟର ରାଜନୈତିକ ଘଟଣା ଓ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।
