Sonia Gandhi’s Book: ରାଜୀବଙ୍କ ମୃତ୍ୟୁର ୨ ମାସ ପୂର୍ବରୁ ହିଁ ଜାଣି ଦେଇଥିଲେ ପୁଅ ରାହୁଲ ଗାନ୍ଧୀ! ମା’ ସୋନିଆଙ୍କୁ କହିଦେଲେ କିଛି ଏପରି, ସ୍ତବ୍ଧ ହୋଇଯାଇଥିଲେ ସେ…
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପୂର୍ବରୁ ତାଙ୍କ ସୁରକ୍ଷାକୁ ନେଇ ପରିବାର କେତେ ଚିନ୍ତିତ ଥିଲା, ତାହାର ଏକ ହୃଦୟବିଦାରକ ଚିତ୍ର ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ରେ ସାମ୍ନାକୁ ଆସିଛି। ବାପାଙ୍କ ଜୀବନ ପ୍ରତି ବିପଦ ଦେଖି ରାହୁଲ ଗାନ୍ଧୀ ଯେଉଁ ଚେତାବନୀ ଦେଇଥିଲେ, ତାହା ଶୁଣି ସୋନିଆ ସିହରି ଉଠିଥିଲେ।
ସୋନିଆଙ୍କ ଲେଖା ଅନୁସାରେ, ୧୯୯୦ ଡିସେମ୍ବରରେ ଏକ ସରକାରୀ କମିଟି ରାଜୀବ ଗାନ୍ଧୀଙ୍କ ପାଇଁ SPG ସୁରକ୍ଷା ଜାରି ରଖିବାକୁ ସୁପାରିସ କରିଥିଲା। କିନ୍ତୁ ଏହାର ପରବର୍ତ୍ତୀ ମାସରେ ତତ୍କାଳୀନ ଭିପି ସିଂହ ସରକାର ତାଙ୍କ SPG ସୁରକ୍ଷା ହଟାଇ ଦେଇଥିଲେ। ଏହା ପରେ ରାଜୀବଙ୍କ ସୁରକ୍ଷା ଦାୟିତ୍ୱ ପୋଲିସକୁ ଦିଆଯାଇଥିଲା। ରାଜୀବ ଯେତେବେଳେ ନିର୍ବାଚନୀ ପ୍ରଚାର କିମ୍ବା ଅନ୍ୟ ଗସ୍ତରେ ଯାଉଥିଲେ, ସୋନିଆ ଓ ଝିଅ ପ୍ରିୟଙ୍କା ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହୁଥିଲେ। ସେହି ସମୟରେ ରାହୁଲ ଆମେରିକାରେ ପାଠପଢ଼ୁଥିଲେ।
୧୯୯୧ ମାର୍ଚ୍ଚରେ ଇଷ୍ଟର ଛୁଟିରେ ରାହୁଲ ଭାରତ ଆସିଥିଲେ। ସେ ବାପାଙ୍କ ସହ ବିହାର ଗସ୍ତରେ ଯାଇଥିଲେ। ସେଠାରେ ରାଜୀବ ଏକ ଖୋଲା ଜିପ୍ରେ ବସି ପ୍ରଚାର କରୁଥିବା ବେଳେ ବିରୋଧୀ ଦଳର ସମର୍ଥକମାନେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି ଘଟଣା ରାହୁଲଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା। ଆମେରିକା ଫେରିବା ପୂର୍ବରୁ ରାହୁଲ ମା’ ସୋନିଆଙ୍କୁ କହିଥିଲେ, “ମା’, ଯଦି ପାପାଙ୍କ ସୁରକ୍ଷା ପାଇଁ କିଛି କରାନଯାଏ, ତେବେ ମୋତେ ଖୁବ୍ ଶୀଘ୍ର ତାଙ୍କ ଅନ୍ତିମ ସଂସ୍କାର ପାଇଁ ଫେରିବାକୁ ପଡ଼ିବ।” ଏହି କଥା ଶୁଣି ସୋନିଆ ଭୟଭୀତ ହୋଇପଡ଼ିଥିଲେ। ସୋନିଆଙ୍କ ଅନୁସାରେ, ରାଜୀବଙ୍କୁ ପ୍ରଭାବଶାଳୀ ସୁରକ୍ଷା ଦେବା ଦାୟିତ୍ୱ ଭିପି ସିଂହଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଚନ୍ଦ୍ରଶେଖରଙ୍କର ମଧ୍ୟ ଥିଲା। କିନ୍ତୁ ଉଭୟଙ୍କ ନିକଟରେ କଂଗ୍ରେସ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଅଣଦେଖା କରାଯାଇଥିଲା ବୋଲି ସେ ଲେଖିଛନ୍ତି।
୧୯୯୧ ମେ’ ୨୧ରେ ତାମିଲନାଡୁରେ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ନେଇ ରାହୁଲଙ୍କ ଆଗୁଆ ଚିନ୍ତା ଏହି ଘଟଣାକୁ ଆହୁରି ମର୍ମସ୍ପର୍ଶୀ କରିଛି।
ସୋନିଆଙ୍କ ଆତ୍ମଜୀବନୀରେ ଆଉ ଏକ ଦୁଃଖଦ ଘଟଣାର ଉଲ୍ଲେଖ ରହିଛି। ୧୮ ଜାନୁଆରୀ ୧୯୬୯ରେ ରାଜୀବ ଓ ସୋନିଆଙ୍କ ପ୍ରଥମ ପୁଅ ଜନ୍ମ ହେବାର ଦିନକ ପରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ଉଭୟଙ୍କୁ ଗଭୀର ଆଘାତ ଦେଇଥିଲା। ସୋନିଆ ଲେଖିଛନ୍ତି, ପୁଅର ମୃତ୍ୟୁ ଖବର ଶୁଣି ସେ ଭାଙ୍ଗି ପଡ଼ି କାନ୍ଦିଥିଲେ ଏବଂ ରାଜୀବ ମଧ୍ୟ ନିଜ ଲୁହ ରୋକିପାରିନଥିଲେ। ପୁଅର ଶେଷକୃତ୍ୟକୁ ନେଇ ମଧ୍ୟ ପରିବାରରେ ଦ୍ୱନ୍ଦ୍ୱ ହୋଇଥିଲା। ସୋନିଆ ଶିଶୁର ମୃତଦେହକୁ ନଦୀରେ ଭସାଇବାକୁ ଚାହୁଁନଥିଲେ। ଓଖଲା ବ୍ୟାରେଜ୍ରେ ଏକ ମୃତଦେହକୁ ନଦୀରେ ଭାସୁଥିବା ଦେଖିଥିବା ଅନୁଭୂତି ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା। ପରେ ସଞ୍ଜୟ ଗାନ୍ଧୀ ଆସି ରାଜୀବଙ୍କ ସହ ଆଲୋଚନା କରିଥିଲେ ଏବଂ ଶିଶୁକୁ ମେହରୌଲିର ଫାର୍ମହାଉସ୍ରେ ସମାଧି ଦେବାକୁ ନିଷ୍ପତ୍ତି ହୋଇଥିଲା।
ଏହାସହ ସୋନିଆ ଲେଖିଛନ୍ତି, ଗର୍ଭାବସ୍ଥା ସମୟରେ ଇନ୍ଦିରା ଗାନ୍ଧୀ ତାଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ। ଦୈନିକ ବ୍ୟାୟାମ, ସପ୍ତାହରେ ତିନିଥର ପାଳଙ୍ଗ ଶାଗ ଓ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବାକୁ ଇନ୍ଦିରା ପରାମର୍ଶ ଦେଉଥିଲେ। ଏହି ଭଳି ଅନେକ ଅକୁହା କାହାଣୀ ରହିଛି ସୋନିଆଙ୍କ ନୂଆ ବହିରେ । ଯାହା ଏବେ ଚର୍ଚ୍ଚା ସାଉଁଟିଛି ।
