Latest Odisha News

BREAKING NEWS

Ramayana Enters Oscars Race: ଓସ୍କାର ଦୌଡ଼ରେ ରଣବୀରଙ୍କ ‘ରାମାୟଣା’! ବକ୍ସ ଅଫିସରେ କରୁଛି ରାଜ୍, ୬ ଦିନରେ ହାତେଇଲାଣି ୮୨୩ କୋଟିରୁ ଅଧିକ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣା: ପାର୍ଟ-୧’କୁ ନେଇ ଏବେ ଚର୍ଚ୍ଚା ଆହୁରି ବଢ଼ିଯାଇଛି। ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଥିବା ଏହି ଫିଲ୍ମ ଏବେ ୯୯ତମ ଏକାଡେମୀ ଆୱାର୍ଡ ବା ଓସ୍କାର ଦୌଡ଼ରେ ସାମିଲ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ମହାକାବ୍ୟ ଆଧାରିତ ଫିଲ୍ମକୁ ନିର୍ମାତାମାନେ ଓସ୍କାର କମିଟିର ବିଚାର ପାଇଁ ପଠାଇଛନ୍ତି। ତେବେ ଫିଲ୍ମଟି କେଉଁ ବର୍ଗରେ ଦାବିଦାର ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଏଠାରେ ପ୍ରଶ୍ନ ଉଠୁଛି, ଭାରତର ଅଫିସିଆଲ୍‌ ଏଣ୍ଟ୍ରି ଭାବେ ମରାଠୀ ଫିଲ୍ମ ‘ଗୋନ୍ଧଲ’ ଚୟନ ହୋଇଥିବାବେଳେ ‘ରାମାୟଣା’ କିପରି ଓସ୍କାର ଦୌଡ଼ରେ ସାମିଲ ହେବ? ନିୟମ ଅନୁସାରେ, ଇଣ୍ଟରନ୍ୟାସନାଲ୍‌ ଫିଚର୍‌ ଫିଲ୍ମ ବର୍ଗରେ ପ୍ରତ୍ୟେକ ଦେଶରୁ ଗୋଟିଏ ଅଫିସିଆଲ୍‌ ଫିଲ୍ମ ପଠାଯାଏ। କିନ୍ତୁ ଅନ୍ୟ ବର୍ଗଗୁଡ଼ିକରେ ଭାରତର ଅନ୍ୟ ଯୋଗ୍ୟ ଫିଲ୍ମ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ଫିଲ୍ମକୁ ଆମେରିକାର ନିର୍ଦ୍ଦିଷ୍ଟ ସହରଗୁଡ଼ିକର ସିନେମା ହଲ୍‌ରେ ଲଗାତାର ଅତିକମ୍‌ରେ ୭ ଦିନ ପ୍ରଦର୍ଶିତ ହେବା ସହ ଏକାଡେମୀର ଅନ୍ୟ ସର୍ତ୍ତ ପୂରଣ କରିବାକୁ ପଡ଼ିବ।

ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରାଙ୍କ ଭିଏଫ୍‌ଏକ୍ସ କମ୍ପାନୀ DNEG ଏଯାଏଁ ୮ ଥର ବେଷ୍ଟ ଭିଜୁଆଲ୍‌ ଇଫେକ୍ଟସ୍‌ ବର୍ଗରେ ଓସ୍କାର ଜିତିଛି। ଏହି କାରଣରୁ ‘ରାମାୟଣା’ର ଭିଜୁଆଲ୍‌ ଇଫେକ୍ଟସ୍‌ ବର୍ଗରେ ଦାବିଦାର ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। DNEG ‘ଇନ୍‌ସେପ୍‌ସନ୍‌’, ‘ଇଣ୍ଟରଷ୍ଟେଲାର୍‌’, ‘ଏକ୍ସ ମେସିନା’, ‘ବ୍ଲେଡ୍‌ ରନର୍‌ ୨୦୪୯’, ‘ଫାର୍ଷ୍ଟ ମ୍ୟାନ୍‌’, ‘ଟେନେଟ୍‌’, ‘ଡ୍ୟୁନ୍‌’ ଓ ‘ଡ୍ୟୁନ୍‌: ପାର୍ଟ ଟୁ’ ପାଇଁ ଏହି ସମ୍ମାନ ପାଇଛି।

ଅନ୍ୟପଟେ, ଓସ୍କାରର ଇଣ୍ଟରନ୍ୟାସନାଲ୍‌ ଫିଚର୍‌ ଫିଲ୍ମ ବର୍ଗରେ ଭାରତର ଅଫିସିଆଲ୍‌ ଏଣ୍ଟ୍ରି ‘ଗୋନ୍ଧଲ’ ହୋଇଥିବାବେଳେ ନାଗା ଭାଷାର ଫିଲ୍ମ ‘ଅଙ୍ଗ’ ମଧ୍ୟ ଟରଣ୍ଟୋ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ଲାଟଫର୍ମ ଆୱାର୍ଡ ଜିତି ଏହି ବର୍ଗ ପାଇଁ ସ୍ୱତନ୍ତ୍ର ଭାବେ ଯୋଗ୍ୟତା ହାସଲର ସୁଯୋଗ ପାଇଛି।

ବକ୍ସ ଅଫିସ୍‌ରେ ମଧ୍ୟ ‘ରାମାୟଣା: ପାର୍ଟ-୧’ର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ନଭେମ୍ବର ୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ମାତ୍ର ୬ ଦିନରେ ଭାରତରେ ୪୪୦.୪୫ କୋଟି ଟଙ୍କାର ନେଟ୍‌ କଲେକ୍ସନ୍‌ କରିଛି। ସେହିପରି ଏହାର ବିଶ୍ୱବ୍ୟାପୀ ଗ୍ରସ୍‌ କଲେକ୍ସନ୍‌ ୮୨୩.୫୦ କୋଟି ଟଙ୍କାରେ ପହଞ୍ଚିଛି।

ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମା’ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସୁଛନ୍ତି। ପ୍ରାୟ ୪ ହଜାର କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ଏହି ଫିଲ୍ମକୁ ଅତ୍ୟାଧୁନିକ ଭିଜୁଆଲ୍‌ ଇଫେକ୍ଟସ୍‌ ସହ ବିଭିନ୍ନ ଭାଷାରେ ରିଲିଜ୍‌ କରାଯାଇଛି। ତେବେ ଓସ୍କାର ବିଚାର ପାଇଁ ପଠାଯିବା ଅର୍ଥ ଫିଲ୍ମଟି ମନୋନୟନ ବା ନୋମିନେସନ୍‌ ପାଇଛି ବୋଲି ନୁହେଁ। ଏହାକୁ ଆଗକୁ ଏକାଡେମୀର ନିୟମ ଓ ଚୟନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ଏଥିରେ ଯୋଗ୍ୟ ହୋଇଥିଲେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏହା ଓସ୍କାର ହାତେଇ ପାରିବ ।

Leave A Reply

Your email address will not be published.