Latest Odisha News

BREAKING NEWS

କିଟ୍ ଓ କିସ୍ ପରିଦର୍ଶନ କରି ଫେରିଲେ ଇସ୍ରାଏଲ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ‘ଇଣ୍ଡିଆ ଟ୍ରେକ୍ ଫର ଗ୍ଲୋବାଲ ଲିଡର୍ସ’ କାର୍ଯ୍ୟକ୍ରମରେ ଭାରତ ଆସିଥିବା ୨୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ପ୍ରତିନିଧି ଦଳ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି।

ନଭେମ୍ବର ୧ରୁ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଏଠାରେ ୧୦ ଦିନ ଅତିବାହିତ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ କିଟ୍ ଓ କିସ୍‍ରୁ ସୁଖଦ ଅନୁଭୂତି ନେଇ ଆଜି ଫେରିଯାଇଛନ୍ତି। କିଟ୍‍ ଓ କିସ୍‍ ରେ ରହଣି ସମୟରେ ସେମାନେ କିସ୍‍ ପିଲାମାନଙ୍କ ସହିତ ଭାବ ବିନିମୟ କରିବା ସହ ସେମାନଙ୍କ ସଂସ୍କୃତି, ପରମ୍ପରା ଓ ଚାଲିଚଳନ ସମ୍ପର୍କରେ ଅବଗତ ହୋଇଥିଲେ। ଏହାଛଡ଼ା ଏହି ପ୍ରତିନିଧିମଣ୍ଡଳୀ ସଦସ୍ୟମାନେ କିଟ୍‍ର ବିଭିନ୍ନ ସ୍କୁଲ୍‍ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରି ଏଠାକାର ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଏହି ଅବସରରେ କିଟ୍‍ ଓ କିସ୍‍ ପକ୍ଷରୁ ସେମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଟ୍‍ ଓ କିସ୍‍ ରେ ସେମାନଙ୍କର ଅନୁଭୂତି ନେଇ ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ କହିଥିଲେ ଯେ, ଏହା ସେମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି। ଆମର ଏହି ଗସ୍ତ ସବୁଠାରୁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ତାଜମହଲ ନୁହେଁ ବରଂ ଏଠାକାର ପିଲାମାନେ ଓ ଅଧ୍ୟାପକ ମାନଙ୍କ ସହ ମିଶିବାର ସୁଯୋଗ ହେଉଛି ଆମ ଗସ୍ତର ସବୁଠାରୁ ବଡ଼ ଉପଲବ୍ଧି। କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ମିଶିବା, ଭାବ ବିନିମୟ କରିବା, ପରସ୍ପରଠାରୁ ଶିଖିବା ଏବଂ ନିଜ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ମିଳିଥିଲା। ଏହା ହିଁ ଆମର ଏହି ଗସ୍ତର ସବୁଠାରୁ ସ୍ମରଣୀୟ ଅନୁଭୂତି।

କିସ୍‍ ବିଶ୍ୱର ଏକ ଅନନ୍ୟ ମଡ଼େଲ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦୂରଦୃଷ୍ଟି, ସମ୍ପନ୍ନ ବ୍ୟକ୍ତିଙ୍କ ନିଷ୍ଠା, ପରିଶ୍ରମ ଓ ତ୍ୟାଗର ପ୍ରତିଫଳନ ବୋଲି ସେମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଇସ୍ରାଏଲ୍‍ ପ୍ରତିନିଧିମଣ୍ଡଳୀର ଏହି ଗସ୍ତ କିଟ୍‍ ଓ କିସ୍‍କୁ ଶିକ୍ଷା, ଗବେଷଣା, ସାଂସ୍କୃତିକ ଭାବ ବିନିମୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ସମ୍ଭାବନା ଆଣିଦେବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଇଣ୍ଟରନ୍ୟାସ୍‍ନାଲ ରିଲେସନସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.