ମଣ୍ଡି: ଅଳ୍ପକେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଲେ ଋଷିଆର ଏକକ ପାରାଗ୍ଲାଇଡିଂ ପାଇଲଟ । ଭୂମିରୁ ୧୫୦ ମିଟର ଉପରେ ହାଇ ଭୋଲଟେଜ୍ ବିଦ୍ୟୁତ ତାରରେ ପାଖାପାଖି ଅଢେଇ ଘଂଟା ଝୁଲିଲା ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଘଟଣା ଘଟିଛି ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ । ମଣ୍ଡି ସହରରୁ ୫କିଲୋମିଟର ଦୂର ମେହାଦ ଗାଁରେ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିଲା । ସ୍ଥାନୀୟ ପ୍ରଶାସନ ୧୪୬ ମିଟରର କ୍ରେନ୍ ଲଗାଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ସୂଚନା ମିଳିଛି । ଉଦ୍ଧାର ପାରାଗ୍ଲାଇଡର ହେଉଛନ୍ତି ଏଭାକିନ ଆଲେକ୍ସେଇ । ସେ କାଙ୍ଗଡା ଜିଲ୍ଲାର ବିଲିଂରୁ ଉଡାଣ ଭରିବା ପରେ ଅପରାହ୍ନରେ ପ୍ରବଳ ପବନ ଯୋଗୁ ଏହା ଭାସି ପଠାଣକୋଟ ମଣ୍ଡି ରାଜପଥରେ ଥିବା ହାଇ ଭୋଲଟେଜ୍ ବିଦ୍ୟୁତ ତାରରେ ଫସି ଯାଇଥିଲା । ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏସଡିଆରଏଫ ଓ ଏନଏଚଏଆଇ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପଠାନକୋଟ-ମଣ୍ଡି ହାଇୱେ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା । କ୍ରେନ୍ ଉଦ୍ଧାର କର୍ଯ୍ୟରେ ଲାଗିଥିବା ସମୟରେ ଭାରୀ ଯାନ ଯାତାୟତ ଉପରେ ରୋକ୍ ଲଗା ଯାଇଥିଲା । ତେବେ ଆଲେକ୍ସେଇ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଆହତ ହୋଇନଥିବା ପୋଲିସ ସୂଚନା ଦେଇଛି । ରୁଟିନ୍ ଚେକଅପ୍ ପାଇଁ ଜୋନାଲ ହସ୍ପିଟାଲକୁ ନିଆଯାଇଥିଲା ।
ନଭେମ୍ବର ୧ରେ ଜଣେ ଅଷ୍ଟ୍ରେଲିଆ ପାଇଲଟ ଗୁମ୍ମା ଅଂଚଳରେ କ୍ରାସ୍ କରି ଆହତ ହୋଇଥିଲେ । ସେହିପରି ଅକ୍ଟୋବର ୨୫ରେ ଧର୍ମଶାଳାରେ ଏକକ ବିମାନ କ୍ରାସ୍ କରିବାରୁ ବୁଲଗେରିଆର ପାରାଗ୍ଲାଇଡରଙ୍କ ମୃତ୍ୟୁ ହୋଇଥିଲା ।
