Latest Odisha News

BREAKING NEWS

ସ୍ୟାଣ୍ଡପେପର ଲଗାଇ ବଲ୍ ଟାମ୍ପରିଂ କରୁଥିଲେ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଜଗତରେ ୨୦୧୮ର କୁଖ୍ୟାତ ‘ସ୍ୟାଣ୍ଡପେପରଗେଟ୍’ (ବଲ୍ ଟାମ୍ପରିଂ) ଏବଂ ଉସମାନ ଖୱାଜାଙ୍କ ଆତ୍ମଜୀବନୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଉ ଜଣେ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ଏକ ବଡ଼ ଖୁଲାସା କରିଛନ୍ତି । ପୂର୍ବତନ ଲେଗ୍-ସ୍ପିନର ଷ୍ଟୁଅର୍ଟ ମ୍ୟାକଗିଲ୍  ସ୍ୱୀକାର କରିଛନ୍ତି ଯେ ସେ ନିଜ କ୍ୟାରିୟର (୧୯୯୮-୨୦୦୮) ସମୟରେ ମ୍ୟାଚ୍‌ରେ ବଲ୍ ଟାମ୍ପରିଂ କରୁଥିଲେ । ଏକ ୟୁଟ୍ୟୁବ୍ ସୋ’ରେ କଥାବାର୍ତ୍ତା ବେଳେ ମ୍ୟାକଗିଲ୍ କହିଛନ୍ତି ଯେ ସେ ସ୍ୟାଣ୍ଡପେପରର ଏକ ଛୋଟ ଟୁକୁଡ଼ା ନିଜ ବୁଢ଼ା ଅଙ୍ଗୁଠିରେ ଟେପ୍ ସାହା୍ୟତାରେ ବାନ୍ଧି ଦେଉଥିଲେ । ଟି’ ବ୍ରେକ୍ ପରେ ପଡ଼ିଆକୁ ଫେରିବା ସମୟରେ ବାଉଣ୍ଡରୀ ନିକଟରେ ପଡ଼ିଥିବା ବଲକୁ ଉଠାଇ ସେଥିରେ  ସ୍ୟାଣ୍ଡପେପର ଘଷି ଦେଉଥିଲେ ଏବଂ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସେହି ସ୍ୟାଣ୍ଡପେପରକୁ ନାଳରେ ଫିଙ୍ଗି ଦେଉଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ସେତେବେଳେ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ମଧ୍ୟ ଏଭଳି କରୁଥିଲେ, ତେଣୁ ସେତେବେଳେ ଏହାକୁ ଏତେ ବଡ଼ ଅପରାଧ ଭାବେ ବିବେଚନା କରାଯାଉ ନଥିଲା ।  ଉସମାନ ଖୱାଜାଙ୍କ ନୂଆ ପୁସ୍ତକରେ ଦାବି କରାଯାଇଥିଲା ଯେ ୨୦୧୮ ସ୍ୟାଣ୍ଡପେପର କାଣ୍ଡ ବିଷୟରେ ସମଗ୍ର ଦଳ ଅବଗତ ଥିଲା । ଏହାକୁ ନେଇ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟ୍ ମହଲରେ ବିତର୍କ ଜାରି ରହିଥିବା ବେଳେ ମ୍ୟାକଗିଲ୍‌ଙ୍କ ଏହି ବୟାନ ମାମଲାକୁ ଆହୁରି ରୋଚକ କରିଛି ।

୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ୍ ଟେଷ୍ଟ ସମୟରେ ହୋଇଥିବା ବଲ୍ ଟାମ୍ପରିଂ କେବଳ ତିନିଜଣ ଖେଳାଳିଙ୍କ ମଧ୍ୟରେ ସୀମିତ ନଥିଲା, ବରଂ ସେତେବେଳେ ଡ୍ରେସିଂ ରୁମ୍‌ରେ ଥିବା ସମସ୍ତ ସଦସ୍ୟ ଏହା ଜାଣିଥିଲେ । କେବଳ ସେହି ଗୋଟିଏ ମ୍ୟାଚ୍‌ରେ ନୁହେଁ, ବରଂ ପୂର୍ବ ମ୍ୟାଚ୍‌ରେ ମଧ୍ୟ ବଲ୍ ସହ ଏଭଳି ପରୀକ୍ଷା କରାଯାଇଥିଲା । ଖୱାଜାଙ୍କ ଏହି ଦାବିକୁ ସମର୍ଥନ କରି ଡେଭିଡ୍ ଓ୍ବାର୍ନର ଏହାକୁ “୧୦୦ ପ୍ରତିଶତ ସଠିକ୍” ବୋଲି କହିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ପୁସ୍ତକର ଦାବିକୁ ଖଣ୍ଡନ କରି କହିଛି ଯେ ସେମାନେ ପୁରୁଣା ତଥ୍ୟ ଏବଂ ତଦନ୍ତ ରିପୋର୍ଟକୁ ନେଇ ସନ୍ତୁଷ୍ଟ ଅଛନ୍ତି ଏବଂ ପୁଣିଥରେ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷେ, ସେତେବେଳେ ଖେଳିଥିବା କିଛି ବୋଲର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.