ନୂଆଦିଲ୍ଲୀ: ମଦର ଡେରି (Mother Dairy) କ୍ଷୀର ଦର ବୃଦ୍ଧି କରିଛି। କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ନୂତନ ଦର ଆସନ୍ତା ଗୁରୁବାର (ନଭେମ୍ବର ୧୨) ଠାରୁ ଲାଗୁ ହେବ। ମଦର ଡେରିର ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମଦର ଡେରି ପୂର୍ବରୁ ୨୦୨୬ ମସିହା ମେ’ ୧୪ ତାରିଖରେ ଦର ବୃଦ୍ଧି କରିଥିଲା ଏବଂ ତା’ ପୂର୍ବରୁ ୨୦୨୫ ମସିହା ଏପ୍ରିଲ ମାସରେ ମୂଲ୍ୟରେ ପରିବର୍ତ୍ତନ କରିଥିଲା।
ସୂତ୍ର ଅନୁଯାୟୀ, ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ ମୂଲ୍ୟ ବୃଦ୍ଧି ପାଇଥିବାରୁ କମ୍ପାନୀ ଉପରେ ଖର୍ଚ୍ଚଭାର ବଢ଼ିଛି; ଫଳସ୍ୱରୂପ କ୍ଷୀରର ଦାମ୍ ବୃଦ୍ଧି କରାଯାଇଛି, ଯାହା ଗ୍ରାହକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ।
ମିଳିଥିବା ସୂଚନା ଅନୁଯାୟୀ, ମଦର୍ ଡେରି (Mother Dairy) ଦିଲ୍ଲୀ-ଏନସିଆର୍ରେ ପ୍ରତିଦିନ ପ୍ରାୟ ୩୫ ଲକ୍ଷ ଲିଟର କ୍ଷୀର ବିକ୍ରି କରେ ଏବଂ ସମୁଦାୟ ଭାବେ କମ୍ପାନୀଟି ପ୍ରତିଦିନ ୫୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରିଥାଏ।
ନୂଆ ଦର ଅନୁଯାୟୀ, ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୭୨ ଟଙ୍କାରୁ ବଢ଼ି ୭୬ ଟଙ୍କା ହୋଇଛି। ପ୍ୟାକେଟ୍ ଟୋନ୍ଡ କ୍ଷୀର ଦର ୬୦ ଟଙ୍କାରୁ ବଢ଼ି ୬୨ ଟଙ୍କା ହୋଇଛି। ସେହିପରି ବଲ୍କ ଟୋନ୍ଡ କ୍ଷୀର ଲିଟର ପିଛା ୫୮ ଟଙ୍କାରୁ ୬୦ ଟଙ୍କା ହୋଇଛି। ଡବଲ୍ ଟୋନ୍ଡ କ୍ଷୀର ଦର ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କା ହୋଇଥିବାବେଳେ ଗାଈ କ୍ଷୀର ଦର ୬୨ ଟଙ୍କାରୁ ବଢ଼ି ୬୫ ଟଙ୍କା ହୋଇଛି। ଏହି ଦରବୃଦ୍ଧି ଦିଲ୍ଲୀ-ଏନ୍ସିଆର୍ ବଜାର ପାଇଁ ଲାଗୁ କରାଯାଇଛି।
