ସିଡନୀ: ଉସ୍ମାନ ଖ୍ୱାଜାଙ୍କ ଚାଞ୍ଚଲ୍ୟକର ଦାବିକୁ ଅଷ୍ଟ୍ରେଲିଆର ପୂର୍ବ ବ୍ୟାଟିଂ କୋଚ୍ ଗ୍ରେମ ହିକ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛନ୍ତି । ଯେଉଁଥିରେ ଖ୍ୱାଜା ଦାବି କରିଥିଲେ ଯେ ୨୦୧୮ର ସ୍ୟାଣ୍ଡପେପରଗେଟ ଷଡ଼ଯନ୍ତ୍ର ବିଷୟରେ ଦଳର ସମସ୍ତେ ଅବଗତ ଥିଲେ । ହିକ କହିଛନ୍ତି, ଖ୍ୱାଜା ଯେଉଁ ଇଙ୍ଗିତ ଦେଉଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା । ଖ୍ୱାଜା ଏକ ବଡ଼ ଖୁଲାସା କରି କହିଥିଲେ ଯେ କେପଟାଉନ୍ ଟେଷ୍ଟରେ ବ୍ୟବହୃତ ସ୍ୟାଣ୍ଡପେପର ଘଟଣା ବିଷୟରେ ସମଗ୍ର ଦଳ ଜାଣିଥିଲା ଏବଂ ଏହି ସାମଗ୍ରୀଟି ପୂର୍ବବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ବ୍ୟବହୃତ ହୋଇଥିଲା । ୨୦୧୬ ରୁ ୨୦୨୦ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆର ବ୍ୟାଟିଂ କୋଚ୍ ଥିବା ଗ୍ରେମ ହିକ ସିଡନୀ ମର୍ନିଂ ହେରାଲ୍ଡକୁ କହିଛନ୍ତି, କୋଚ୍ ମାନଙ୍କୁ ନେଇ ଦିଆଯାଇଥିବା ଏଭଳି ବ୍ୟାପକ ବିବୃତ୍ତି ଦେଖି ମୁଁ ବହୁତ ନିରାଶ ହୋଇଛି ।
ଖ୍ୱାଜା ସିଧାସଳଖ କହୁଛନ୍ତି ଯେ ଆମେ ସମସ୍ତେ ଏଥିରେ ସାମିଲ ଥିଲେ, କେବଳ ବ୍ୟାଟ୍ସମାନ୍, ବୋଲର କିମ୍ବା ଷ୍ଟାଫ୍ ନୁହଁନ୍ତି ବରଂ ଆମେ ସମସ୍ତେ । ହିକ ଆହୁରି ମଧ୍ୟ କହିଛନ୍ତି ଯେ ପୋର୍ଟ ଏଲିଜାବେଥ୍ କିମ୍ବା କେପଟାଉନରେ ବଲ୍ ଟାମ୍ପରିଂକୁ ନେଇ ହୋଇଥିବା କୌଣସି ଆଲୋଚନା ବିଷୟରେ ସେ ପୂର୍ବରୁ କିଛି ଜାଣି ନଥିଲେ। ମ୍ୟାଚ୍ ସମୟରେ ବଡ଼ ସ୍କ୍ରିନରେ ଏହି ଦୃଶ୍ୟ ଦେଖିବା ପରେ ହିଁ ସେ ଏ ବିଷୟରେ ଅବଗତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ବିବାଦରେ ପୂର୍ବରୁ ତତ୍କାଳୀନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଉପ-ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଏବଂ କ୍ୟାମରନ୍ ବାଙ୍କଫ୍ରଫ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କଠିନ ପ୍ରତିବନ୍ଧକ ଲଗାଯାଇଥିଲା ।
