ରଘୁନାଥପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକରେ ଭତ୍ତା ବଣ୍ଟନକୁ କେନ୍ଦ୍ର କରି ଉତ୍ତେଜନା ଓ ଗଣ୍ଡଗୋଳ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ରଘୁନାଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ ଅଛନ୍ତି।
ସୂଚନାଥାଉକି, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କୁ ଅଶାଳୀନ ବ୍ୟବହାର,ବନ୍ଧୁକ ଦେଖାଇ ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି।
ଏହି ଘଟଣାରେ ବିଧାୟକ ଓ ବିଡିଓଙ୍କ ପକ୍ଷରୁ ମୋଟ ୧୮ ଜଣଙ୍କ ନାମରେ ପୃଥକ୍ ଏତଲା ଦାଖଲ ହୋଇଥିବା ସୂଚନା ରହିଛି । ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି।
ଖବରମୁତାବକ,ଗତକାଲି ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ ଚାଲିଥିବାବେଳେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ କିଛି ବିଜେଡି ସମର୍ଥକ ବିଧାୟକ ରମାକାନ୍ତ ଭୋଇ ଓ ରଘୁନାଥପୁର ବିଡିଓ ପ୍ରୀତିଶ ଭୋଇଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏଥିସହ ଉଭୟଙ୍କୁ ଘେରାଉ କରି ରଖିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି।
ଏହି ଘଟଣାକୁ ନେଇ ବିଧାୟକ ରମାକାନ୍ତ ଭୋଇ ଓ ବିଡିଓ ପ୍ରୀତିଶ ଭୋଇ ପୃଥକ୍ ପୃଥକ୍ ଭାବେ ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ କରି ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ତର୍ଯ୍ୟାମୀ ରାଉତ, ରବୀନ୍ଦ୍ର ସାହୁ, ବଟକୃଷ୍ଣ ନାୟକ ଓ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି।
